ନୟାଗଡ଼: ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ । ଶୀତ କାକରରେ ବେସାହାରା ହେଲେ ବସ୍ତି ବାସିନ୍ଦା । ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ନିକଟସ୍ଥ ଜାରିଙ୍ଗି ନୂଆସାହିର 36 ଘର ଏବଂ କଲ୍ୟାଣି ସାହିରୁ ଏକ-ଏକ ବଖରାକୁ ଜବରଦଖଲ କରାଯାଇଥିବା ଦର୍ଶାଇ ପ୍ରଶାସନ ଉଚ୍ଛେଦ କରିଛି ।
ଫଳରେ ଶୀତ କାକରରେ ପଡି ହଇରାଣ ହରକତ ହେଉଛନ୍ତି ଲୋକେ । ଶୀତ କାକରରେ ଏବଂ କରୋନା ସମୟରେ ଗରିବ ଅସହାୟ, ଲୋକଙ୍କୁ ଶୁଖିଲା ଖାଦ୍ୟ ସହ କମ୍ବଳ ବାଣ୍ଟୁଥିବା ଦେଖିବାକୁ ମିଳୁଥିବାବେଳେ ଏଭଳି ମାରଣ ନୀତିକୁ ନେଇ ଓଡ଼ଗାଁ ପ୍ରଶାସନ ସମାଲୋଚନାର ଶିକାର ହେବାକୁ ପଡିଛି । ସରକାର ଜାଗା ମିଶନ ଯୋଜନାରେ ଗରିବ ଅସହାୟ ଲୋକମାନଙ୍କୁ ପଟ୍ଟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଉଛନ୍ତି । ହେଲେ ଓଡ଼ଗାଁ ପ୍ରଶାସନ ଏ ଦିଗରେ ବହୁ ପଛରେ ଥିବା ଏ ଚିତ୍ର ସ୍ପଷ୍ଟ କରୁଛି ।
ଓଡଗାଁ ତହସିଲଦାର ବିଜୟୀତା ସାମନ୍ତ ସିଂହାର, NAC ନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର, IIC ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ପ୍ରମୁଖ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ କରିଥିଲେ । ପ୍ରଶାସନ ତରଫରୁ ଶୀତ ଦିନେ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇଥିବାରୁ ସେମାନେ ଶୀତ କାକରରେ ଜୀବନ ବିତାଉଛନ୍ତି । ଉଚ୍ଛେଦ ଦୁଃଖ ଠାରୁ ଶୀତ ସମୟରେ ଜୀବନଯାପନର ଦୁଃଖ ବଳିଯାଇଛି । ପ୍ରଶାସନ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ଦାବି ହୋଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ