ନୟାଗଡ଼: ଜିଲ୍ଲା ଦଶପଲ୍ଲା ବ୍ଲକ ବଣିଗୋଛା ଥାନା ଅନ୍ତର୍ଗତ ଧୁନ୍ଦୁଗାଡିଆ ଗ୍ରାମର ଶିଶୁ କନ୍ୟା ବେବି ନିଖୋଜ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ବେବି ନିଖୋଜ ହେବାର ୫ ଦିନ ପରେ ପୋଲିସ ଗଳିତ ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ସେହି ଗ୍ରାମର ସାଗର ଦଳେଇ ବୋଲି ଜଣାପଡିଛି ।
ତେବେ ବେବିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l ଚଳିତ ମାସ ୧୨ ତାରିଖ ମଧ୍ୟାହ୍ନ ସମୟରେ ଧୁନ୍ଦୁଗାଡିଆ ଗ୍ରାମର କୁନା ନାୟକଙ୍କ ୬ ବର୍ଷର ଶିଶୁ କନ୍ୟା ବେବି ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା । ଘରକୁ ନ ଫେରିବାରୁ ବେବିର ବାପା ମାଆ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରେ ବେବିର ବାପା କୁନା ନାୟକ ବଣିଗୋଛା ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ସାଇଣ୍ଟିଫିକ୍ ଟିମ, ଅନୁସନ୍ଧାନୀ କୁକୁରର ସହାୟତାରେ ପୋଲିସ ତଦନ୍ତ କରିଥିଲେ ମଧ୍ୟ ଅପରାଧୀ ବାବଦରେ ସୁରାଗ୍ ପାଇନଥିଲା । ତେବେ ପୋଲିସ ଜଣେ ସନ୍ଦିଗ୍ଧ ଯୁବକକୁ ମଙ୍ଗଳବାର ଉଠାଇ ଆଣି ଦଶପଲ୍ଲା ଥାନାରେ ପଚରାଉଚରା କରିବା ପରେ ଗତକାଲି(ବୁଧବାର) ବେବି ନିଖୋଜ ଘଟଣାର ପର୍ଦ୍ଦାଫାସ୍ କରିଛି ।
ସାମ୍ବାଦିକ ସମ୍ମିଳନୀରେ ପୋଲିସର ସୂଚନା ଅନୁସାରେ ପୁର୍ବରୁ ସାଗର ବେବିକୁ ବହୁବାର ଡାକି ମୋବାଇଲ ଦେଖାଇଥାଏ l ସେହିଦିନ ମୋବାଇଲ ଦେଖିବା ପାଇଁ ସାଗର ବେବିକୁ ଗାଁ ପଛ ପାର୍ଶ୍ୱ ନିକଟରେ ଥିବା ଏକ କଦଳୀ ବାଡିକୁ ଡାକି ନେଇଥିଲା । ପରେ କାମାନ୍ଧ ହୋଇ ଦୁଷ୍କର୍ମ କରିବା ପରେ ଏକ ପ୍ଲାଷ୍ଟିକ ଦଉଡିରେ ବେବିର ବେକକୁ ବାନ୍ଧି ହତ୍ୟା କରିଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଛି । ଏହାପରେ ବୁଧବାର ନୟାଗଡ ଏସପି ସିଦ୍ଧାର୍ଥ କଟାରିୟା, ନୟାଗଡ ଏସଡ଼ିପିଓ ଶୁଭେନ୍ଦୁ ସିହ୍ନା, ସାଇଣ୍ଟିଫିକ୍ ଟିମ, ଅନୁସନ୍ଧାନୀ କୁକୁର ଓ ଏକ ପ୍ଲାଟୁନ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଦଳୀ ବାଡି ନିକଟ ଏକ ନାଳରୁ ବେବିର ଗଳିତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା । ତେବେ ମୃତଦେହର ମୁଣ୍ଡ ଗଣ୍ଡି ଅଲଗା ହୋଇ ଉଲଗ୍ନ ଅବସ୍ଥାରେ ପଡି ଥିବାବେଳେ ଜଙ୍ଗଲୀ ଜନ୍ତୁ ଓ କୁକୁର ମୃତ ଶରୀରକୁ ଖାଇଥିବା ଜଣାପଡିଛି । ପରେ ସାଇଣ୍ଟିଫିକ୍ ଟିମ ସେଠାରେ ପହଞ୍ଚି ତଦନ୍ତ କରି ଥିବାବେଳେ ପୋଲିସ ବେବିର ଗଳିତ ମୃତଦେହ ଜବତ କରିଛି । ଏନେଇ ପୋଲିସ ପକ୍ଷରୁ ଏକ ହତ୍ୟା ମୋକଦ୍ଦମା କରାଯାଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ