ନୟାଗଡ଼: ପାଦ ଥାପିଲେ ଦୋହଲୁଛି ଚାରିପାଖେ ଥିବା ମାଟି । ଏହି ସ୍ଥାନରେ ଚାଲିକି ଯିବାକୁ ଭୟ କରୁଛନ୍ତି ଲୋକେ । କାରଣ ମାଟି ତଳକୁ ଖସି ଯିବାର ଭୟ ରହିଛି । ସାବଧାନ ହୋଇ ନଚାଲିଲେ ଘଟିପାରେ ଦୁର୍ଘଟଣା । ଏକାଧିକ ସ୍ଥାନରେ ଟକମକ ହୋଇ ଫୁଟୁଛି ପାଣି । ପ୍ରାୟ 11 ଏକର ସ୍ଥାନରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ନୟାଗଡ ଭାପୁର ବ୍ଲକ ତରବାଲୁଅ-ନୀଳକଣ୍ଠପ୍ରସାଦ ମୌଜାରେ ରହିଛି ଏପରି ଉଷ୍ମପ୍ରସବଣ କେନ୍ଦ୍ର । ଖରା ହେଉ କି ବର୍ଷା, ଶୀତ ହେଉ ବସନ୍ତ ବର୍ଷର ସବୁ ସମୟରେ ଟକମକ ହୋଇ ଫୁଟୁଛି ପାଣି ।
ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟ ଥିବା ଏହି ସ୍ଥାନଟି ଆଜି ବି ଅନାଲୋଚିତ ଏବଂ ଅବହେଳିତ । ଗାଁ ଗାଁ ମଧ୍ୟରେ ବିବାଦ କାରଣରୁ ଏହି ସ୍ଥାନର ବିକାଶରେ ଲାଗିଛି ଡୋରି । ଏହି ସ୍ଥାନଟିକୁ ତରବାଲୁଅ ଗ୍ରାମବାସୀ ନିଜର ବୋଲି ଦାବି କରୁଥିବା ବେଳେ ନୀଳକଣ୍ଠପ୍ରସାଦ ଗ୍ରାମବାସୀ ନିଜର ବୋଲି କହୁଛନ୍ତି । ଫଳରେ ଉଭୟ ଗ୍ରାମ ମଧ୍ୟରେ ଦୀର୍ଘବର୍ଷ ଧରି ବିବାଦ ଲାଗିରହିଛି । ସେଥିପାଇଁ ଏହି ସ୍ଥାନର ବିକାଶ ହୋଇପାରି ନାହିଁ । ଏହି ସ୍ଥାନଟି କେଉଁ ଗ୍ରାମର ମୌଜାରେ ଯାଉଛି ସେନେଇ ଅଭିଯୋଗ ଯାଇ ନ୍ୟାୟାଳୟରେ ପହଞ୍ଚିଛି l
ପ୍ରାୟ 120 ସ୍ଥାନରେ ପାଣି ଟକମକ ହୋଇ ଫୁଟୁଛି । ଏତେ ଜୋର ଫୁଟୁଛୁ ଯେ, ସତେ ଯେପରି ଚାଉଳ ପକାଇଦେଲେ ମଧ୍ୟ ଭାତ ହୋଇଯିବ । ଗାଈଗୋରୁ ପ୍ରବେଶ କରିବାକୁ ଡରୁଛନ୍ତି । ପ୍ରାୟ 10 ଏକ ଜାଗାରେ ଥିବା ଏହି ଛୋଟ ମନ୍ଦିରରେ ପୂଜା ପାଉଛନ୍ତି ମା’ ଅଧିଶ୍ୱରୀ ‘କେତକୀ’ । ସ୍ଥାନୀୟ ଲୋକଙ୍କ ଆରାଧ୍ୟ ଠାକୁରାଣୀ ଭାବେ ବେଶ ପରିଚିତ । ସେହିପରି ଶିବ ଠାକୁରଙ୍କୁ ମଧ୍ୟ ଏଠାରେ ପୂଜା କରାଯାଉଛି । ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ଏକ ଆକର୍ଷଣୀୟ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ଟକମକ ହେଉଥିବା ପାଣିରେ ଗାଧୋଇଲେ ଚର୍ମ ରୋଗ ଭଲ ହେଉଥିବା ଗ୍ରାମବାସୀ କୁହନ୍ତି l
ଏଠାକାର ନଡ଼ିଆ ଗଛ ଏବଂ ବୁଦା ଦେଖିବାକୁ ଖୁବ ସୁନ୍ଦର । ଏହି ସ୍ଥାନ ବିଷୟରେ ଜାଣିଥିବା ଲୋକେ, ପ୍ରକୃତିର ଅନନ୍ୟ ବରଦାନକୁ ଉପଭୋଗ କରିବାକୁ ଭୁଲି ନାହାଁନ୍ତି । ଏହି ପ୍ରସିଦ୍ଧ ଉଷ୍ମପ୍ରସବଣ କେନ୍ଦ୍ର ଆଜି ବି ଅବହେଳିତ । ଏଠାକାର ଉନ୍ନତିରେ ବାଧକ ସାଜିଛି ଗାଁ ବିବାଦ । ନଚେତ ଏସିଆ ମହାଦେଶରେ ଏକ ଖୁବ ସୁନ୍ଦର ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇସାରନ୍ତାଣି । କେବେ ଗାଁ ବିବାଦ ସମାଧାନ ହେଉଛି ଏବଂ ଏହି ସ୍ଥାନର ବିକାଶ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ