ନୟାଗଡ଼: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନାସନାଲ୍ ହେରାଲ୍ଡ ଖବରକାଗଜର ସ୍ଥାବର ସମ୍ପତ୍ତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ବାରା ସମନ କରାଇବାକୁ ତୀବ୍ର ବିରୋଧ କରାଯାଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ପ୍ରତିବାଦ ସଭାରେ ମୋଦିଙ୍କ ଏକଛତ୍ରବାଦ ନୀତି ଏବଂ ବିରୋଧୀ ନେତାଙ୍କ ଉପରେ ପ୍ରତିଶୋଧ ରାଜନିତୀକୁ ତୀବ୍ର ନିନ୍ଦା କରାଯାଇଛି । ଦେଶବ୍ୟାପୀ ବିରୋଧୀ ଦଳ ପ୍ରମୁଖ ନେତାଙ୍କ ମୁହଁ ବନ୍ଦ କରିବା ପାଇଁ ଇଡି, ସିବିଆଇ ଲଗାଇ ସେମାନଙ୍କ ବିରେଧରେ ହୀନ ରାଜନୀତି କରୁଛି ବୋଲି କୁହାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ଦେଶର ଆର୍ଥିକ ଦୁସ୍ଥିତି, ପ୍ରତି ଡଲାର ଅପେକ୍ଷା ଟଙ୍କାର ବିନିମୟ ମୁଲ୍ୟ ହ୍ରାସ ପାଇ ୧ ଡଲାରର ଭାରତୀୟ ମୁଦ୍ରାର ୮୦ ଟଙ୍କା ପହଞ୍ଚିଛି ।
ବିଦେଶରେ କଳାଟଙ୍କା ୨ ଗୁଣା ବୃଦ୍ଧି ପାଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ପେଟ୍ରୋଲ, ଡିଜେଲ ଗ୍ୟାସ ଦରରେ ମାତ୍ରାଧିକ ବୃଦ୍ଧି ଯୋଗୁଁ ସାରା ଦେଶବାସୀ ଚିନ୍ତାରେ ରହିଛନ୍ତି । ବର୍ଷକୁ ୨ କୋଟି ଚାକିରି ଦେବେ କହି ଦିଲ୍ଲୀରେ ସରକାରକୁ ଆସିଥିବା ବିଜେପି ଦଳ ୧୮ବର୍ଷ ଶାସନରେ ମାତ୍ର ୧୦ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି। ଆଜିର ପ୍ରତିବାଦ ସଭାରେ ବରିଷ୍ଠ ନେତା ସୁକାନ୍ତ ଶତପଥୀ, ଶ୍ରମିକ କଂଗ୍ରେସ ନେତା ଆଲୋକ ପ୍ରଧାନ, ଦଶପଲ୍ଲା ଯୁବ କଂଗ୍ରେସ ସଭାପତି ଚନ୍ଦନ ମହାଳିକ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
ଇଟିଭି ଭାରତ, ନୟାଗଡ଼