ନୟାଗଡ଼: କୋଭିଡ଼ ସର୍ବେକ୍ଷଣ ସ୍ଥିତି ସମୀକ୍ଷା କଲେ ନୟାଗଡ଼ ଜିଲ୍ଲାପାଳ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ 24 ତାରିଖରୁ ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଘରକୁ ଘର ଯାଇ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନେ ସର୍ବେକ୍ଷଣ କରିବେ l ଥଣ୍ଡା, ଜ୍ବର, କାଶ ଓ କୋଭିଡ ସଂକ୍ରମଣ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବାକୁ ଥିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ତତ୍ତ୍ବାବଧାନରେ ଏକ ବିସ୍ତାରିତ ଫର୍ମାଟ ପ୍ରସ୍ତୁତ କରାଯାଇଛି ।
ଏହି ଫର୍ମାଟକୁ ସମସ୍ତ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଆଇସିଡିଏସ ସୁପରଭାଇଜର ଓ ସିଡିପିଓଙ୍କ ମାଧ୍ୟମରେ ବଣ୍ଟନ କରାଯାଇଛି । ସେହି ଫର୍ମାଟରେ ଅନ୍ୟାନ୍ୟ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ଯକ୍ଷ୍ମା, ଲେପ୍ରୋସି, ଅନ୍ୟାନ୍ୟ ସଂକ୍ରମକ ରୋଗ ସମ୍ବନ୍ଧରେ ତଥ୍ୟ ସଂଗ୍ରହ ସହିତ କୋଭିଡ ଜନିତ ମୃତ୍ୟୁ ଓ କୋଭିଡ କାରଣରୁ ବାପାମାଆ ହରାଇଥିବା ଶିଶୁ, ଏକକ ଅଭିଭାବକ ଥିବା ଶିଶୁ ଏବଂ ବିଧବା ମହିଳାଙ୍କ ସର୍ଭେ କରାଯିବାକୁ ସ୍ଥିରୀକୃତ ହୋଇଛି । ଏହି ଫର୍ମାଟ କିପରି ବ୍ୟବହାର କରାଯିବ ସେଥିପାଇଁ ଅଙ୍ଗନବାଡି କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଜିଲ୍ଲାସ୍ତରରେ ଆଇସିଡିଏସ ପ୍ରକଳ୍ପ ଅଧିକାରୀ ଓ ସୁପରଭାଇଜରମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୱେବିନାର ମାଧ୍ୟମରେ କରାଯାଇଥିଲା ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ପୋମା ତୁଡୁ, ଡିଏଫଓ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡିଟିଓ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସର୍ଭେକୁ କିପରି ସଫଳ ରୂପାୟନ ଦିଆଯିବ ସେନେଇ ନିଜର ମତାମତ ରଖିଛନ୍ତି । ଏନଓପି ମ୍ୟାନେଜର ଫର୍ମାଟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ତେବେ ଏ ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟ ଜିଲ୍ଲାପାଳ ନିଜେ ପରିଚାଳନା କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ