ନୟାଗଡ: ଘଡୁଆଳ ଗାଁ'ର ସୁଲେଇ ପାତ୍ର । ବୟସ ୯୦ ବର୍ଷ । ଚମ ଧୁଡୁଧୁଡୁ ହେବା ସହ ଶରୀରରେ ଆଉ ବଳ ମଧ୍ୟ ନାହିଁ । ଚାଲିବା ତ ଦୂରର କଥା ଖାଇବା ପାଇଁ ପାଟିକୁ ହାତ ଗଲା ବେଳେ ମଧ୍ୟ ଥରୁଛି । ହେଲେ କରିବେ ବା କଣ ? ବୟସର ଅପରାହ୍ନ ହୋଇଥିବାରୁ ଏମିତି ଦୁଃଖରେ ଦିନ କାଟୁଛନ୍ତି ସେ ।
ଯେଉଁ ବୟସରେ ପୁଅ ଝିଅ ଆଶାବାଡ଼ି ପାଲଟିଥାନ୍ତି ସେହି ବୟସରେ ପର କରିଦେଇଛନ୍ତି 3 ଭେଣ୍ଡିଆ ପୁଅ । ପୁଅ ଜନ୍ମ କରି ସ୍ବପ୍ନ ଦେଖିଥିଲେ ପରିଣତ ବୟସରେ ସାହାରା ଦେବେ । ହେଲେ ଆଜି ବେସାହାର କରିଦେଇଛନ୍ତି ୩ ପୁଅ । ଫଳରେ ସାହିପଡ଼ିଶାରୁ ମିଳୁଥିବା ଖାଦ୍ୟ ଖାଇ ବଞ୍ଚୁଛନ୍ତି ସେ । ଓଳିଏ ଖାଇଲେ ଓଳିଏ ଉପାସ । ଏହି ପରିଣତ ବୟସରେ ହାତ, ଗୋଡ଼ କାମ କରୁନାହିଁ ସୁଲେଇଙ୍କର । ତଥାପି ସେ ନିଜ କାମ ନିଜେ କରିବାକୁ ବାଧ୍ୟ ହୋଇଛନ୍ତି ।
ସୁଲେଇଙ୍କ ସ୍ୱାମୀ 15 ବର୍ଷ ତଳୁ ଆର ପାରିରେ । ଏବେ ପରିବାର କହିଲେ ୩ପୁଅ ଓ ୩ ଝିଅ । ୨ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ 3 ପୁଅ ଏବଂ ଜଣେ ଝିଅ ଅଛନ୍ତି । ହେଲେ ବୁଢ଼ୀ ମା କୁ ଭୁଲି ଯାଇଛନ୍ତି ସମସ୍ତେ । ଯେଉଁ ମା କଷ୍ଟ ସହି ନିଜ ନଖାଇ ପୁଅ ଝିଅଙ୍କୁ ବଡ କରିଥିଲା ଆଜି ସେ ଇ ପୁଅ ଝିଅ ମା' କୁ ପର କରିଦେଇଛନ୍ତି । ଜୀବନରେ ଶେଷ ସମୟରେ ନିଜ ପାଖରେ ରଖି ସେବା କରିବା ତ ଦୂରର କଥା, ବୁଢ଼ୀ ମାଆଟିକୁ ଚାହିଁଲେ ନାହିଁ ମଧ୍ୟ ।
ଏବେ ନିଜର କହିଲେ ଘର ଖଣ୍ଡିଏ ମାତ୍ର । ହେଲେ ଏଇ ଘର ଖଣ୍ଡିକକୁ କିଏ ନେବ ତାହା ଭାଗ ନ ଛିଡି଼ବାରୁ ଏପରି ସମସ୍ୟା ଦେଖାଦେଇଥିବା ଗ୍ରାମବାସୀ କୁହନ୍ତି । କାହା ନାମରେ ଘର ଖଣ୍ଡିକୁ ନ କରିବାରୁ ବୁଢ଼ୀ ମାକୁ ସମସ୍ତେ ପର କରିଦେଲେ । ନିଜେ ରୋଷେଇ କରି କିଛି ଦିନ ଖାଇଲା ପରେ ଏବେ ଆଉ ସମ୍ଭବ ହେଉ ନାହିଁ । ଦେହରେ ବଳ ନଥିବାରୁ ଘୋଷାଡ଼ି ହୋଇ ଏପଟସେପଟ ହେଉଛନ୍ତି ସେ । ସାହି ପଡିଶାରୁ ଖାଇବାକୁ ଯିଏ ଯାହା ଦେଲା ସେଥିରେ ଚଳନ୍ତି ବୃଦ୍ଧା ଜଣକ । ବୁଢ଼ୀ ମାଆଟିର ଯତ୍ନ ନେବାକୁ ବହୁବାର ଗ୍ରାମବାସୀ 3 ପୁଅକୁ କହିଲେଣି । ଏପରିକି ଏଥିପାଇଁ ମଧ୍ୟ ପଞ୍ଚାୟତ ବସିଛି କିନ୍ତୁ ପୁଅ ମାନେ ଶୁଣିନାହାଁନ୍ତି ।
ଏହି ପରିତ୍ୟକ୍ତ ଘରେ ବୁଢ଼ୀ ମାଆ ଜଣଙ୍କ ରହୁଛନ୍ତି । ଏନେଇ ଖବର ପାଇ ସାହାଯ୍ୟର ହାତ ବଢ଼ାଇଛି ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅନନ୍ୟା ଫାଉଣ୍ଡେସନ । ବୁଢ଼ୀ ମାଆକୁ ଖାଇବାକୁ ଦେବା ସହ ଲୁଗା ମଧ୍ୟ ପ୍ରଦାନ କରିଛନ୍ତି । ତେବେ ବୃଦ୍ଧା ମହିଳାଙ୍କୁ କୌଣସି ବୁଦ୍ଧାଶ୍ରମରେ ରଖି ସାହାଯ୍ୟ ଏବଂ ସହଯୋଗର ହାତ ବଢାଇବା ସହ କର୍ତ୍ତବ୍ୟ ଭୁଲି ଯାଇଥିବା ପୁଅ ଝିଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ପାଖେ ଦାବି ରଖିଛନ୍ତି ଗ୍ରାମବାସୀ ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ