ନୟାଗଡ଼: କୋଭିଡ ମୃତ୍ୟୁର ସାଙ୍ଘାତିକ ସତ । ରାଜ୍ୟ ରିପୋର୍ଟରେ କୋଭିଡ ମୃତ୍ୟୁ ସଂଖ୍ୟା 9 ଥିବା ବେଳେ ଜିଲ୍ଲା ରିପୋର୍ଟରେ ମୃତ୍ୟୁ ସଂଖ୍ୟା 96 ବୋଲି କୁହାଯାଇଛି । ନୟାଗଡ଼ ଚାନ୍ଦପୁର କୋଭିଡ କେୟାର ସେଣ୍ଟରରେ କରୋନା ରୋଗୀଙ୍କ ମୃତ୍ୟୁକୁ ନେଇ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ପଦାରେ ପଡ଼ିଛି ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲାର ମିଛ ।
ରାଜ୍ୟରେ କୋଭିଡ ମୃତ୍ୟୁକୁ ନେଇ ସରକାର ଦେଉଥିବା ତଥ୍ୟ ଓ ଗ୍ରାଉଣ୍ଡ ଜିରୋର କୋଭିଡ ମୃତ୍ୟୁ ତଥ୍ୟ ଭିତରେ ସାମ୍ନାକୁ ଆସିଛି ଦଶଗୁଣାର ଫରକ । ନୟାଗଡ଼ ଚାନ୍ଦପୁର କୋଭିଡ ହସ୍ପିଟାଲରେ ଦ୍ୱିତୀୟ ଲହରୀରେ କରୋନା ମୃତକଙ୍କ ସଂଖ୍ୟା 117 ରହିଥିବା ବେଳେ କେବଳ ନୟାଗଡ ଜିଲ୍ଲାର କରୋନା ମୃତକଙ୍କ ସଂଖ୍ୟା 96 ଜଣ ବୋଲି ଦର୍ଶାଯାଇଛି l
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦେଇଥିବା ତଥ୍ୟ ଆଧାରରେ କରୋନା ମୃତ୍ୟୁକୁ ନେଇ ଜିଲ୍ଲା ପ୍ରଶାସନ ପାଖରେ ଏହି ତଥ୍ୟ ରହିଛି । ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ତଥ୍ୟରେ ନୟାଗଡ଼ ଜିଲ୍ଲାରେ ଆଜି ସୁଦ୍ଧା କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା 54 ହୋଇଥିବା ବେଳେ ପ୍ରଥମ ଲହରୀରେ 45 ଓ ଦ୍ୱିତୀୟ ଲହରୀରେ ଜିଲ୍ଲାରେ ମାତ୍ର 9 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି l
ରାଜ୍ୟ ସରକାରଙ୍କ ୱେବସାଇଟରେ ନୟାଗଡ଼ର କରୋନା ମୃତ୍ୟୁକୁ ନେଇ ସୂଚନା ଦିଆଯାଇଛି l କୋରନା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ତଥ୍ୟ ଭିତରେ କୌଣସି ତାଳମେଳ ନଥିବା ବେଳେ ଏହା ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାର ତ୍ରୁଟି ନା କରୋନା ମୃତ୍ୟୁକୁ ଲୁଚାଇବାକୁ ସରକାରଙ୍କ ଏକ ସାଙ୍ଘାତିକ ଷଡଯନ୍ତ୍ର ଏନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଯାହାକୁ ନେଇ ସରକାର ଏହା ଉପରେ ସ୍ପଷ୍ଟୀକରଣ ରଖିବା ସହ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ । ଅନ୍ୟପକ୍ଷେ, କୋଭିଡ ମୃତ୍ୟୁ ସଂକ୍ରାନ୍ତରେ ସରକାର ଓ ଜିଲ୍ଲା ପ୍ରଶାସନର ତଥ୍ୟକୁ ନେଇ, ତାଳମେଳ ରହୁନଥିବା ବାବଦରେ ପ୍ରତିକ୍ରିୟା ରଖି ଜିଲ୍ଲା ପ୍ରଶାସନର ଅଡିଟ ଓ ରାଜ୍ୟ ସରକାରଙ୍କ ଅଡିଟ ପରେ ଯାଇ କୋଭିଡ ମୃତକଙ୍କ ତଥ୍ୟ ଘୋଷଣା କରାଯାଏ ବୋଲି ସୂଚନା ଦେଇଛନ୍ତି କିଛି ବରିଷ୍ଠ ଅଧିକାରୀ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ