ନୟାଗଡ: ସୋମବାର ବିଳମ୍ବିତ ରାତ୍ରିରେ ନୂଆଗାଁ ଅନ୍ତର୍ଗତ ମହୀପୁର ଫାଣ୍ଡି ପୋଲିସ ସନ୍ଦେହଜନକ ଭାବେ ଠିଆ ହୋଇଥିବା ଏକ କାରରୁ 50 କେଜି ଗଞ୍ଜେଇ ସହ ଜବତ କରିଛି । ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନଥିବା ବେଳେ ଘଟଣାର ତଦନ୍ତ ଚାଲିଛି ବୋଲି ନୟାଗଡ଼ ଏସ୍ଡିପିଓ ନିରଞ୍ଜନ ପାଢ଼ୀ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନାନୁସାରେ, ସୋମବାର ରାତିରେ ମହୀପୁର ଫାଣ୍ଡି ଅନ୍ତର୍ଗତ ମାଳିସର ଗ୍ରାମ ନିକଟରେ ମାରୁତି ସୁଜିକ୍ କମ୍ପାନୀର ଏକ କାର ସନ୍ଦେହଜନକ ଅବସ୍ଥାରେ ଠିଆ ହୋଇଥିଲା । ଏନେଇ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଏହାର ଡିକି ଯାଞ୍ଚ କରିଥିଲା ଏବଂ ସେଥିରୁ ୩ଟି ଜରି ବସ୍ତାକୁ ଠାବ କରିଥିଲା । ପୋଲିସ ଏହି ଗାଡ଼ି ଏବଂ ବସ୍ତାକୁ ଫାଣ୍ଡିକୁ ଆଣି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଯାଞ୍ଚ କରିବା ପରେ ସେଥିରେ 50 କେଜି 200 ଗ୍ରାମ ଓଜନର ଗଞ୍ଜେଇ ରହିଥିବା ଜଣାପଡ଼ିଥିଲା । ପୋଲିସ କାର, ଗଞ୍ଜେଇ ଏବଂ କାର ଭିତରେ ରହିଥିବା ବିଭିନ୍ନ ବ୍ୟାଙ୍କ ପାସବୁକ୍ ଓ ଏଟିଏମ୍ କାଡ଼ ଜବତ କରିଥିବା ଜଣାପଡିଛି ।
ତେବେ ଖବର ପାଇ ଚଢାଉ ସମୟରେ ମହୀପୁର ଫାଣ୍ଡି ଅଧିକାରୀ ରମେଶ ଦେବତା, ଏଏସ୍ଆଇ ପ୍ରମୋଦ କୁମାର ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ । ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ନୟାଗଡ଼ ଏସ୍ଡିପିଓ ନୀରଞ୍ଜନ ପାଢ଼ୀ ଘଟଣା ସଂପର୍କରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ