ନୟାଗଡ: ବିନା ଭକ୍ତରେ ପୂଜା ପାଉଛନ୍ତି ଜଗତଜନନୀ । ଆଜି ମା'ଙ୍କ ମହାଷ୍ଟମୀ ପୂଜା ଥିବା ବେଳେ ଖାଁ ଖାଁ ପୂଜା ମଣ୍ଡପ । ମା' ଓ ଭକ୍ତଙ୍କ ମଝିରେ ପ୍ରାଚୀର ସାଜିଛି କୋରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ନୟାଗଡର ବିଭିନ୍ନ ସ୍ଥାନରେ ବିନା ଭକ୍ତରେ ମା'ଙ୍କ ପୂଜା ବିଧି ଚାଲିଛି ।
ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ମା ଦୁର୍ଗାଙ୍କ ପୂଜା ବିଧି । କଟକଣା ଯୋଗୁଁ ସବୁ ମଣ୍ଡପରେ ଭକ୍ତ ଶୂନ୍ୟ ପରିସ୍ଥିତି । ସେହିଭଳି ସମାନ ଅବସ୍ଥା ନୟାଗଡ ସହରରେ ମଧ୍ୟ ଦେଖିବାକୁ ମିଳିଛି । ରାଜସୁନାଖଳା, ରଣପୁର, ଓଡଗାଁ, ଭାପୁର, ନୂଆଗାଁ, ଦଶପଲ୍ଲା, ଖଣ୍ଡାପଡା ଆଦି ବିଭିନ୍ନ ସ୍ଥାନରେ ଦୁର୍ଗତି ନାଶିନୀ ଦୁର୍ଗାଙ୍କ ମୃଣୟ ମୂର୍ତ୍ତି ପୂଜା ପାଉଛି ।
କେବଳ ବିଧି ବଞ୍ଚାଇବାକୁ କେତୋଟି କର୍ତ୍ତା, ପୂଜକ ଓ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୀଠ ଓ ମଣ୍ଡପଗୁଡିକରେ ପୂଜା କରାଯାଉଛି । ସ୍ବତନ୍ତ୍ର ରୀତିନୀତି ଅନୁସାରେ ମାଆଙ୍କୁ ଆରାଧନା କରାଯାଇଛି । ପୂଜା ମଣ୍ଡପକୁ ସମ୍ପୂର୍ଣ୍ଣ ଆବଦ୍ଧ କରାଯାଇଛି । ମଣ୍ଡପରେ ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ସଂପୂର୍ଣ୍ଣ ବାରଣ ହୋଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ