ନୟାଗଡ଼: ଚାଷୀ ଓ ଚାଷର ଉନ୍ନତି କରଣ ପାଇଁ ସରକାରଙ୍କ ମାଳମାଳ ଯୋଜନା । ମାତ୍ର ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ଚାଷୀ । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନୟାଗଡ଼ ଜିଲାର ବିଭିନ୍ନ ବ୍ଲକରେ ନିର୍ମାଣ ହୋଇଥିବା ଚେକ ଡ୍ୟାମ ଏବଂ ବନ୍ଧ ଗୁଡିକ ଅଚଳ ହୋଇ ପଡିଥିବା କାରଣରୁ ଚାଷୀ ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l
ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରାମ ପଞ୍ଚୟାତ ଅଧୀନ ଅରଖପଲ୍ଲୀ ଗ୍ରାମ ନିକଟରେ ରହିଛି ଭୂଇଁମୁଣ୍ଡିଆ ବନ୍ଧ l ଏହା ଉପରେ ପ୍ରାୟ 2 ପଞ୍ଚାୟତର ଶତାଧିକ ଚାଷୀଙ୍କ 2 ଶହ ଏକରରୁ ଉର୍ଦ୍ଧ ଜମିକୁ ଜଳ ଯୋଗାଣ କରିଥାଏ l ବର୍ଷା ଦିନ ହେଉ କିମ୍ବା ଅନ୍ୟନ୍ୟ ମାସମାନଙ୍କରେ ଜଳର ଅଭାବକୁ ଦୂର କରିଥାଏ l ମାତ୍ର ଖରା ଦିନ ଆସିବା ମାତ୍ରେ ଏହା ଶୁଖିଯାଏ l କାରଣ ଅଗଭୀର ଥିବାରୁ ଆବଶ୍ୟକ ଜଳ ସଂରକ୍ଷଣ କରାଯାଇ ପାରେ ନାହିଁ l ସ୍ଥାନୀୟ ଲୋକେ ବାରମ୍ବାର ଏହାକୁ ଗଭୀର କରିବାକୁ ଦାବୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି l
ପ୍ରଶାସନ ତରଫରୁ ଗଭୀର କରାଗଲେ ପାହାଡ଼ର ଉପର ମୁଣ୍ଡରୁ ପାଣି ଆସି ସଂରକ୍ଷିତ ହୋଇ ରହିପାରିବ l ଫଳରେ ରବି ଏବଂ ଖରିଫ ଋତୁରେ ମଧ୍ୟ ଚାଷୀ ଚାଷ କରିପାରିବ l ଏବେ ଭୂଇଁମୁଣ୍ଡିଆ ବନ୍ଧ ଶୁଖିଲା ପଡ଼ିଥିବାରୁ ହାତ ବାନ୍ଧି ବସି ରହିଛି ଚାଷୀ l ଏନେଇ ଭୂଇଁମୁଣ୍ଡିଆ ବନ୍ଧକୁ ଗଭୀର କରିବାକୁ ଚାଷୀ ଦାବୀ କରିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ