ନୟାଗଡ: ପ୍ରତିବର୍ଷ ଆଶ୍ବିନ ମାସ ପୂର୍ଣ୍ଣିମାରେ ପାଳିତ ହୋଇଥାଏ କୁମାର ପୂର୍ଣ୍ଣିମା ଉତ୍ସବ । ଆଧୁନିକତାର ଛାପରେ ଦିନକୁ ଦିନ ହଜି ଯାଉଛି ଏହି ଗ୍ରାମ୍ୟ ସଂସ୍କୃତି ଓ ପରମ୍ପରା । ଏହାକୁ ବଜାୟ ରଖିବା ପାଇଁ ଏକ ଭିନ୍ନ ପଦକ୍ଷେପ ନୟାଗଡ଼ରେ ଦେଖିବାକୁ ମିଳିଛି l ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ସଂସ୍କୃତିପ୍ରେମୀ ପ୍ରଦୀପ୍ତ ପଟନାୟକଙ୍କ ପକ୍ଷରୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧୀନ ଦୂରୁଦୁରା ଗ୍ରାମରେ କୁମାର ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ନିରାଡ଼ମ୍ବର ଭାବେ ଏହା ପାଳିତ ହୋଇଛି ।
ଏହି ଅବସରରେ ଗାଁ ର କୁଆଁରୀ ଝିଅମାନଙ୍କୁ ନେଇ ବିଭିନ୍ନ ପାରମ୍ପରିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବୃନ୍ଦାବତୀ ଦେବୀଙ୍କ ପାଖରେ ଗତ ଏକ ମାସ ଧରି ଅନୁଷ୍ଠିତ ହୋଇଥିବା ଜହ୍ନି ଓଷା ଉଦଯାପିତ ହୋଇଥିଲା l ଏହି ଅବସରରେ ପୂର୍ଣ୍ଣିମା ଉପବାସ କରୁଥିବା କୁଆଁରୀ ଝିଅମାନେ ପୂର୍ଣ୍ଣମି ଜହ୍ନଙ୍କୁ ଦର୍ଶନକରି ବ୍ରତ ଭାଙ୍ଗିଥିଲେ l ଦୂରୁଦୁରା ଗ୍ରାମରେ ଏଭଳି ସ୍ବତନ୍ତ୍ର ପ୍ରୟାସକୁ ସମସ୍ତଙ୍କୁ ଭଲ ଲାଗିଥିଲା । ଆଜି କୁମାରୀମାନେ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କ ପୂଜା ଆରାଧନା କରି ସୁଖ, ସୌଭାଗ୍ୟ ଓ ସମୃଦ୍ଧି କାମନା କରିଥିଲେ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ