ଅସହାୟ ସୁକାନ୍ତିଙ୍କୁ ମିଳୁନି ପକ୍କାଘର, ଜରିପାଲ ତଳେ ବିତୁଛି ଜୀବନ - ନୟାଗଡ଼
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କାଣ୍ଡପଡା ପଞ୍ଚାୟତ ଖଇରାଢିପ ନୂଆସାହି ବାସିନ୍ଦା ସୁକାନ୍ତି ଦେଇ 5 ବର୍ଷ ହେଲା ଏକ ଜରି ପାଲ ତଳେ ରହି ଆସୁଛନ୍ତି। ପକ୍କ ଘର ପାଇଁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କିଛି ଲାଭ ମିଳୁନାହିଁ। ଅଧିକ ପଢ଼ନ୍ତୁ...
ନୟାଗଡ଼: ଗରିବ ଅସହାୟମାନଙ୍କ ପାଇଁ ନାନା ଯୋଜନା କରୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇ ପାରୁନଥିବା ନଜରକୁ ଆସିଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କାଣ୍ଡପଡା ପଞ୍ଚାୟତରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି । କାଣ୍ଡପଡା ପଞ୍ଚାୟତ ଖଇରାଢିପ ନୂଆସାହି ବାସିନ୍ଦା ସୁକାନ୍ତି ଦେଇ 5 ବର୍ଷ ହେଲା ଏକ ଜରି ପାଲ ତଳେ ରହି ଆସୁଛନ୍ତି। ପକ୍କା ଘର ପାଇଁ ବାରମ୍ବାର ଦାବି କରିଥିଲେ ସୁଦ୍ଧା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।
47 ବର୍ଷୀୟ ସୁକାନ୍ତି ଦେଇଙ୍କ ସ୍ବାମୀ ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଛନ୍ତି। ଆର୍ଥିକ ଅନଟନ ଯୋଗୁଁ ଝାଟିମାଟି ଘର ଛପର କରି ପାରୁନାହାନ୍ତି ପରିବାର। ଆବାସ ଯୋଜନା ପାଇଁ ସରପଞ୍ଚଙ୍କୁ କହି କହି ଥକି ପଡ଼ିଲେଣି ସୁକାନ୍ତି। ହେଲେ ଏଯାଏଁ ପକ୍କାଘରଟିଏ ମିଳି ପାରିନଥିବା ଅଭିଯୋଗ ହୋଇଛି।
ପକ୍କା ଘର ଖଣ୍ଡିଏ ନଥିବାରୁ ବର୍ଷା ଦିନେ ଘରେ ରହିବା କଷ୍ଟକର ହୋଇ ପଡ଼ୁଛି। ଘର ଭିତରୁ ରାତିରେ ଜହ୍ନ ଓ ଦିନରେ ସୂର୍ଯ୍ୟ ଦେଖାଯାଉଛି। ଶୀତ ଋତୁରେ ଏବେ ଶୀତ କାକରରେ କିଭଳି ରହିବେ ସେନେଇ ଚିନ୍ତାରେ ରହିଛନ୍ତି ପୂରା ପରିବାର। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କିଛି ଲାଭ ହେଉନାହିଁ। ସରକାରୀ ଯୋଜନାରେ ସୁକାନ୍ତିଙ୍କୁ ପକ୍କ ଘର ଖଣ୍ଡିଏ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ