ନୟାଗଡ଼: ଛାତ୍ରଛାତ୍ରୀଙ୍କୁ ଲୋକାଭିମୁଖୀ କରିବା ପାଇଁ ସରକାର ସ୍କୁଲ ଗୁଡିକରେ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି । କିନ୍ତୁ ନୟାଗଡ ଓଡ଼ଗାଁ ୟୁଜିଏମଇ ବିଦ୍ୟାଳୟ ରେ ଏଥିରେ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି । ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରକୁ ମାଡ ମାରି ଲହୁଲୁହାଣ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ଵର ପଣ୍ଡା । ମାଡ ମାରିବା ସହ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗକରି ପ୍ରଧାନଶିକ୍ଷକଙ୍କ ନିଲମ୍ବନ ଦାବିରେ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଶିକ୍ଷକଙ୍କ ଠାରୁ ମାଡ ଖାଇଥିବା ଛାତ୍ରର ଅଭିଭାବକ ଓ କଂଗ୍ରେସ ପ୍ରତିନିଧି ଦଳ ।
ନିଲମ୍ବନ ଦାବି କରି ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇଙ୍କ ନେତୃତ୍ବରେ କଂଗ୍ରେସ ପ୍ରତିନିଧି ଦଳ ଧାରଣା ଦେବା ସହ ପ୍ରଧାନଶିକ୍ଷକଙ୍କ ନିଲମ୍ବନ ଦାବି କରି ଏକ ଦାବିପତ୍ର ବିଇଓଙ୍କୁ ପ୍ରଦାନ କରିଥିଲେ l ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନର୍ବାର ଧାରଣା ଦିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଥିଲା।
ଏହା ମଧ୍ୟ ପଢନ୍ତୁ-ବନ୍ୟାଜଳ ଉଜାଡିଲା ଫସଲ, କ୍ଷତିପୂରଣ ସହ ଋଣ ଛାଡ଼ ପାଇଁ ଦାବି
ଛାତ୍ର କଂଗ୍ରେସର ସଭାପତି ଦିଲ୍ଲୀପ ବିଶୋଇଙ୍କ କହିବା ଅନୁଯାୟୀ,'' ଛାତ୍ରର ଅଭିଭାବକ ତିନି ଦିନ ପୂର୍ବେ ପୁଅକୁ ପ୍ରଧାନଶିକ୍ଷକ ମାଡ ମାରିଥିବା ନେଇ ବିଇଓଙ୍କ କାର୍ଯ୍ୟଳୟରେ ଅଭିଯୋଗ କରିଥିଲେ, କିନ୍ତୁ ବିଇଓ ଚୁପ ରହିଛନ୍ତି। ତେବେ କାହା ନିର୍ଦ୍ଦେଶରେ ବ୍ଲକ ଶିକ୍ଷାଧିକାରୀ ଚୁପ ହୋଇ ବସିଛନ୍ତି ସେନେଇ କଂଗ୍ରେସ ପ୍ରଶ୍ନ କରିଛି । ତେବେ ୟୁଜିଏମଇ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ଵର ପଣ୍ଡାଙ୍କ ବିରୋଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଜି ପୁଣି ଧାରଣା ଦିଆଯିବା ନେଇ କହିଛି ଛାତ୍ର କଂଗ୍ରେସ'' ।
ଗୁରୁବାର ଉଭୟ ଛାତ୍ର କଂଗ୍ରେସ ଓ ଗୁରୁତର ଛାତ୍ରର ଅଭିଭାବକ ଦୀର୍ଘ ୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କମଳୀନି ବେହେରା ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ । ଏଥି ସହ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କୁ ଉଚିତ୍ ଦଣ୍ଡ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ତେବେ ଏ ଘଟଣା ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କିଛି ପ୍ରତିକ୍ରିୟା ମିଳିନଥିବା ବେଳେ ପ୍ରଧାନଶିକ୍ଷକ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କିଛି ପ୍ରତିକ୍ରିୟା ରଖିନାହାନ୍ତି । ଶିକ୍ଷକଙ୍କ ମାଡରେ ଚତୁର୍ଥ ଶ୍ରେଣୀର ଛାତ୍ର ଜଣଙ୍କ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଅଭିଭାବକ କହିଛନ୍ତି । ଏନେଇ କଣ ପଦକ୍ଷପ ଗ୍ରହଣ କରାଯାଉଛି ଏବେ ଖାଲି ତାକୁ ହିଁ ଅପେକ୍ଷା ।