ନୟାଗଡ଼: ଜେଲ ଗଲା ନକଲି ବ୍ୟାଙ୍କ ଅଡିଟର । ନୟାଗଡ ରଣପୁର ଷ୍ଟେଟ ବ୍ୟାଙ୍କ ଶାଖାରେ ନିଜର ଫର୍ଜି ପରିଚୟ ପତ୍ର ଦେଖାଇ ନିଜକୁ ଅଡିଟର କହି ବ୍ୟାଙ୍କ ଭିତରେ ପଶିଥିଲେ ଜଣେ ଯୁବକ । କ୍ୟାସ କାଉଣ୍ଟାରରେ ପଶିବା ସହ ଫିଲ୍ଡ ଅଫିସର ଏବଂ ମ୍ୟାନେଜରଙ୍କୁ ଅନେକ କଥା ପଚରା ଉଚରା କରିଥିଲେ ।
ତେବେ କିଛି ସମୟ ମଧ୍ୟରେ ତାଙ୍କ ଆଚରଣ ଉପରେ ସନ୍ଦେହ ହେବାରୁ ଏନେଇ ମୁଖ୍ୟ ଶାଖା ସହ ଯୋଗାଯୋଗ କରିଥିଲେ ବ୍ୟାଙ୍କ ମ୍ୟାନେଜର । ଠିକ ସେହି ସମୟରେ ଯୁବକ ଜଣଙ୍କ ଖସି ଯିବାକୁ ଉଦ୍ୟମ କରିଥିବାବେଳେ ତାଙ୍କୁ କାବୁ କରି ନେଇଥିଲେ ଗ୍ରାହକ । ଶେଷରେ ରଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାରେ ଆଣି ଅଟକ ରଖି ପଚରା ଉଚରା କରିଥିଲା ।
ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବାଛେରା ବୋଲି ଜଣାପଡ଼ିଛି । ତେବେ ଏନେଇ ଏକ ମାମଲା ରୁଜୁ ହୋଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏବଂ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ