ନୟାଗଡ: ଦିନକୁ ଦିନ ଜନବସତି ମୁହାଁ ହେଉଛନ୍ତି ହାତୀ । ଗତ କିଛିଦିନ ହେବ ଗଜରାଜଙ୍କ ଜୀବନ ଏକପ୍ରକାର ବିପଦ ଆଡକୁ ଚାଲିଯାଉଥିବା ପରି ମନେହେଉଛି । କାରଣ ଲଗାତାର ଭାବେ ହାତୀ ମୃତ୍ୟୁ ନଚେତ ଜନବସତିରେ ହାତୀଙ୍କ ଉପଦ୍ରବ ସାମ୍ନାକୁ ଆସୁଛି । କେତେବେଳେ ହାତୀଙ୍କ ଆକ୍ରମଣରେ ଲୋକେ ସମ୍ମୁଖୀନ ହେଉଛନ୍ତି ତ ଆଉ କେତେବେଳେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ହାତୀ ।
ଏହି କିଛିଦିନ ତଳେ କଟକ ମୁଣ୍ଡଳିରେ ପାଣିସୁଅରେ ହାତୀ ଭାସିଯିବା ଏବଂ ବ୍ୟାରେଜରୁ ୨ଟି ହାତୀଙ୍କ ମୃତଦେହ ଉଦ୍ଧାର ହେବା ସଦ୍ୟତମ ଉଦାହରଣ । ତେବେ ମୁଣ୍ଡଳିରେ ନଦୀପାର ହେଉଥିବା ଅନ୍ୟହାତୀଙ୍କ ପତ୍ତା ନ ଥିବାବେଳେ ଏବେ ପୁଣି ଜନବସତି ମୁହାଁ ହୋଇଛନ୍ତି ହାତୀପଲ । ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୀମାନ୍ତରେ ହାତୀପଲ ଉପଦ୍ରବ କରିଛନ୍ତି । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ନିକଟସ୍ଥ ଜଙ୍ଗଲରେ ହାତୀଙ୍କୁ ଦେଖି ଭୟଭୀତ ହୋଇ ଯାଇଥିଲେ ସ୍ଥାନୀୟ ଲୋକେ । ଏଥିପାଇଁ ରାତିରେ ମୋଟା-ଗୋଡିପଡା ରାସ୍ତା ସମ୍ପୂର୍ଣ୍ଣ ଶୂନଶାନ ହୋଇଯାଇଛି ।
ଦନ୍ତାହାତୀ ଭୟରେ ଗାଡି ମୋଟର ଯାତାୟତ ବନ୍ଦ ରହିଛି । ଗୋଟିଏ ଦନ୍ତାହାତୀ ମୋଟା ଅଞ୍ଚଳରେ ଧାନଫସଲ ନଷ୍ଟ କରିଥିବା ବେଳେ ସୀମାନ୍ତ ରଣପୁର ବ୍ଲକରେ ମଧ୍ୟ ସମାନ ଭାବେ ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଉଭୟ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ସୀମାନ୍ତ ଗାଁ ଲୋକେ ହାତୀକୁ ଦେଖି ଭୟଭୀତ ଅଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ବାଣ ଫୁଟାଇ, ଟର୍ଚ୍ଚ ଲାଇଟ ପକାଇ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରିରଖିଛନ୍ତି । ସେପଟେ ହାତୀଙ୍କ ପାଇଁ ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ