ନୟାଗଡ଼: ବ୍ୟାପୁଛି ଜଙ୍ଗଲ ନିଆଁ । ଲୋକଙ୍କୁ ସଚେତନ କରିଛନ୍ତି ଜିଲ୍ଲାପାଳ । ଏକ ସଚେତନତା ଭିଡିଓ ଜାରି କରିଛନ୍ତି ଜିଲ୍ଲାପାଳ ଡ଼ ପୋମା ଟୁଡୁ । ଭିଡିଓରେ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ମହାନଦୀ ବନ୍ୟପ୍ରାଣୀ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
ଗତ 5 ମାସ ହେବ ବର୍ଷା ହୋଇନଥିବାରୁ ଜଙ୍ଗଲରେ ନିଆଁ ଅଧିକ ବେଗରେ ବ୍ୟାପୁଛି । ଆସନ୍ତା 15 ଦିନରେ ନିଆଁ ଅଧିକ ହେବାର ସମ୍ଭାବନା ରହିଛି । ଏଥିପାଇଁ ସମସ୍ତଙ୍କୁ ସହଯୋଗ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବନ କର୍ମଚାରୀଙ୍କ ସହ ମିଶି ଜଙ୍ଗଲ ନିଆଁ ଲିଭାଇବା ପାଇଁ ଜନପ୍ରତିନିଧି ଏବଂ ଜନସାଧାରଣ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି । ନିଆଁ ଲାଗିବା ସମ୍ପର୍କରେ ତୁରନ୍ତ ବନ କର୍ମଚାରୀଙ୍କୁ ସୂଚନା ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ଜଙ୍ଗଲରେ ଶିକାର ଏବଂ ଖଳ ପକୃତିର ଲୋକ ନିଆଁ ଲଗାଉଥିବା ବନ୍ୟପ୍ରାଣୀ ଅଧିକାରୀ କହିଛନ୍ତି । ଭିଡିଓ ମାଧ୍ୟମରେ ଅପିଲ କରି ତୁରନ୍ତ ଏନେଇ ସୂଚନା ଦେବାକୁ ନିବେଦନ କରିଛନ୍ତି । ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି ମଧ୍ୟ ସମାନ କଥା କହିଛନ୍ତି ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ସୂଚନା ଦେବାକୁ କହିଥିବା ବେଳେ ଜଙ୍ଗଲ ପାଖାପାଖ ଅଞ୍ଚଳର ଲୋକେ ଅଳିଆରେ ନିଆଁ ଲଗାଉଥିବା ବେଳେ ଏ ଦିଗରେ ସଚେତନ ରୁହନ୍ତୁ ବୋଲି ସେ କହିଛନ୍ତି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ