ନୟାଗଡ଼: କଟକ ଟ୍ରିପଲ ମଡର ଘଟଣାରେ ସାଇକୋ କିଲର ନାରାୟଣ ସାହୁକୁ ଗିରଫ କରିଛି କମିଶନରେଟ ପୋଲିସ । ସେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନାମୁହିଁ ଗାଁର ବାସିନ୍ଦା । ତେବେ ନାରାୟଣ ସାହୁ କିଏ ଓ କଣ ତାର ପରିଚୟ, ଜାଣିବାପାଇଁ ଆମେ ପହଞ୍ଚିଥିଲୁ ନାରାୟଣ ସାହୁ ଗାଁରେ ଓ ତାଙ୍କ ପରିବାର ସହ ଭେଟି ଆଲୋଚନା କରିଥିଲୁ ।
ସୁନାମୁହିଁ ଗାଁର ନାରାୟଣ ସାହୁ, ଦୀର୍ଘ ପନ୍ଦର ବର୍ଷ ଧରି ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର କୁମ୍ପାପଡାରେ ରହି ବ୍ୟବସାୟ କରୁଥିଲା । ପ୍ରଥମେ କାଚ ବ୍ୟବସାୟରୁ ରୁପା ବ୍ୟବସାୟ କରିଥିଲା । ଘର କରିବା ପାଇଁ ସେ କରଜ କରିଥିଲା। କିନ୍ତୁ କରଜ ସୁଝି ନପାରିବାରୁ ତା ଘରକୁ ଅନ୍ୟମାନେ ଜବରଦଖଲ କରିଥିଲେ । ପରେ ସେ ତା ସ୍ତ୍ରୀ ଓ ଦୁଇ ପୁଅ, ଝିଅଙ୍କୁ ତା ଶଶୁର ଘର ମହିପୁର ଅଞ୍ଚଳରେ ଛାଡ଼ିଦେଇଥିଲା । ଏହା ପରେ ତାଙ୍କ ପରିବାର ମାଗିଯାଚି ଲୋକଙ୍କଠାରୁ ଖାଇ ଚଳୁଥିଲେ । ସେପଟେ ନାରାୟଣ ମାନସିର ଭାରସାମ୍ୟ ହରାଇବାରୁ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ନେଇଥିଲେ ପରିବାର । କିନ୍ତୁ ସେ ସେଠାରୁ କେଉଁଆଡ଼େ ଚାଲିଯାଇଥିଲେ । ପରେ ଘରସହ ସେ ଆଉ ସମ୍ପର୍କ ରଖିନଥିଲେ ।
ଗାଁରେ କେବଳ ତାଙ୍କର ବୁଢା ବାପା, ମା ରହୁଛନ୍ତି । ତେବେ ନାରାୟଣ ସାହୁଙ୍କୁ କଟକ ଟ୍ରିପଲ ମଡରରେ ପୋଲିସ ଗିରଫ କରିବାପରେ ତାଙ୍କ ବାପା, ମା ଏହି ଘଟଣାକୁ ସ୍ବୀକାର କରୁନାହାନ୍ତି । ତାଙ୍କ ପୁଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ସେମାନେ।
କଟକ ହତ୍ୟା ଘଟଣା ପରେ ନୟାଗଡ଼ରେ ମଧ୍ୟ ଚାଞ୍ଚଲ୍ୟ ଖେଳିଯାଇଛି । କିଛିଦିନ ତଳେ ଓଡ଼ଗାଁରେ ମଧ୍ୟ ଜଣେ ପାଗଳ ଦୁଇଜଣଙ୍କୁ ମାରିବା ସହ, ଓଡ଼ଗାଁ ଥାନା ଆଇଆଇସିଙ୍କ ସହ ଅନେକ ଲୋକଙ୍କୁ ଆହତ କରିଥିଲା। ପୁଣି କଟକ ହତ୍ୟା ଘଟଣା ପଛରେ ଓଡ଼ଗାଁ ଅଞ୍ଚଳର ନାରାୟଣ ସାହୁ ନା ଆସିଲା ପରେ, ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି। ତେବେ ଓଡ଼ଗାଁ ଥାନାରେ ନାରାୟଣ ନାମରେ କୌଣସି ଅଭିଯୋଗ ନଥିବା ଓଡ଼ଗାଁ ପୋଲିସ କହିଥିବା ବେଳେ, ନୟାଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ କଟକ କମିଶନର ପୋଲିସ ଓ ଓଡ଼ଗାଁ ପୋଲିସ ସହାୟତାରେ ନାରାୟଣ ସାହୁକୁ ସୁନାମୁହିଁ ଗାଁରୁ ପୋଲିସ ଗିରଫ କରିଛି ।
ତେବେ ସତରେ ନାରାୟଣ କଟକର ସିରିଆଲ ମର୍ଡରର ସମ୍ପୃକ୍ତ ନା ତାଙ୍କ ପିତାମାତାଙ୍କ କହିବା ଅନୁସାରେ ସେ ନିର୍ଦ୍ଦୋଷ ତାହା ସମୟ କହିବ ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ