ନୟାଗଡ଼: ଆଜି(ବୁଧବାର) ମହାବିଷୁବ ସଂକ୍ରାନ୍ତି l ଦଣ୍ଡ ଯାତ୍ରାର ଅନ୍ତିମ ଦିବସ l ଏହାକୁ ନେଇ ଉତ୍ସବ ମୁଖର ରହିଛି ନୟାଗଡ଼ l ହେଲେ ଯାତ୍ରାରେ ଲୋକେ କୋରୋନାର ଦ୍ୱିତୀୟ ଲହର ଚାଲିଥିବା ଘଟଣାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିବା ଭଳି ମନେ ହେଉଛି l ଅନେକ ସ୍ଥାନରେ କୋଭିଡ଼ ଗାଇଡ଼ଲାଇନ ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି l
ପ୍ରଶାସନର ବାରଣ ସତ୍ତ୍ବେ ଲୋକେ ଦଣ୍ଡ ଯାତ୍ରାରେ ସାମିଲ ହୋଇଛନ୍ତି l ଢୋଲ, ଝାଞ୍ଜ ଆଉ ଘଣ୍ଟ ମହୁରୀ ନାଦରେ ପ୍ରକମ୍ପିତ ହେଉଛି ଗାଁ ଦାଣ୍ଡ l ମାନସିକଧାରୀ ଏବଂ ଦଣ୍ଡୁଆମାନେ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି l ଜିଲ୍ଲା ପ୍ରଶାସନ ପକ୍ଷରୁ ଅଳ୍ପ ସଂଖ୍ୟକ ଲୋକ ଏକତ୍ର ହେବା, ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ଆଦି ନିୟମ ପାଳନ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ବହୁ ସ୍ଥାନରେ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ