ନୟାଗଡ: ଜିଲ୍ଲାରେ ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ବଣ୍ଟନ ଅଭିଯୋଗ । ଏହି ସାଙ୍ଘାତିକ ଅଭିଯୋଗ ଆଣିଛି ନୟାଗଡ କଂଗ୍ରେସ । ଅଭିଯୋଗ ମୁତାବକ ଜିଲ୍ଲାପାଳଙ୍କ ଜାଣତରେ ଯୋଗାଣ ଅଧିକାରୀ ମିଲର୍ସମାନଙ୍କୁ ଅନୁଗ୍ରହ ଦେଖାଇ ଜିଲ୍ଲାରେ ନିମ୍ନମାନର ଚାଉଳ ବଣ୍ଟନ କରୁଛନ୍ତି । ଏହାକୁ ପ୍ରତିବାଦ କରି ଆସନ୍ତାକାଲି(ଶୁକ୍ରବାର) ଗୋଟିସାହି ମିଲର୍ସ ଗୋଦାମ ଆଗରେ ଦଳ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି ।
ରାଜ୍ୟ ସରକାର ମିଲର୍ସମାନଙ୍କ ଠାରୁ ପୁଷ୍ଟିକର ଚାଉଳ କ୍ବିଣ୍ଟାଲ ପିଛା 3,100 ଟଙ୍କା ଦେଇ କିଣୁଥିବା ବେଳେ ବାସ୍ତବରେ ମିଲର୍ସମାନେ ଜିଲ୍ଲାପାଳ ଏବଂ ଯୋଗାଣ ବିଭାଗ ସହ ସଲାସୁତୁରା ହୋଇ 15 ରୁ 18 ଟଙ୍କିଆ ଚାଉଳ ଯୋଗାଇ କୁଇଣ୍ଟାଲ ପିଛା ପ୍ରାୟ 1500 ଟଙ୍କାର ମୁନଫା ଉଠାଉଛନ୍ତି l ଜିଲ୍ଲାର 16 ଜଣ କଷ୍ଟମ ମିଲର୍ସ ଏଗ୍ରିମେଣ୍ଟ ଅନୁସାରେ ଅଦ୍ୟାବଧି 70% ଚାଉଳ ଯୋଗାଇବା ପରିବର୍ତ୍ତେ ମାତ୍ର 38% ଚାଉଳ ଦେଇଥିବା ସତ୍ତ୍ବେ ଜିଲ୍ଲାପାଳ ମିଲର୍ସମାନଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ ଜାରି କରିନଥିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ମିଲର୍ସମାନଙ୍କ ନିଜସ୍ୱ ମାଲିକାନା ଗୋଦାମକୁ ଜିଲ୍ଲା ଯୋଗାଣ ବିଭାଗ ଭଡା ସୂତ୍ରରେ ନେଇଥିବାରୁ ସେହି ଗୋଦାମ ନିମ୍ନମାନର ଚାଉଳ ରଖାଯାଉଛି । କିନ୍ତୁ ରାଜ୍ୟ ଗୋଦାମରେ ଉପଯୁକ୍ତ ମାନର ତନଖି କରାଯାଇ ଚାଉଳ ମହଜୁଦ ରଖାଯାଉଥିବା ବ୍ୟବସ୍ଥା ଥିଲେ ମଧ୍ୟ ତାହାକୁ ବ୍ୟବହାର ଉପଯୋଗୀ କରାଯାଉ ନାହିଁ। ତେଣୁ ମିଲର୍ସମାନଙ୍କ ବେଆଇନ ଗୋଦାମ ଗୃହ ଏଗ୍ରିମେଣ୍ଟ ବାତିଲ ଦାବିରେ ଜିଲ୍ଲା କଂଗ୍ରେସ ଶୁକ୍ରବାର ଗୋଟିସାହି ମିଲର୍ସ ଗୋଦାମ ଆଗରେ ଧାରଣା ଦେବ । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ସୂଚନା ଦେଇଛନ୍ତି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ