ଭୁବନେଶ୍ବର: ରେଳ ଚଳାଚଳକୁ ଅଧିକ ସୁରକ୍ଷିତ କରିବାକୁ ସାରା ଦେଶରେ ସାଙ୍କେତିକ ପ୍ରଣାଳୀର ଉନ୍ନତିକରଣ କରାଯାଉଛି । ରେଳ ସେକ୍ସନ ଗୁଡ଼ିକରେ କବଚ ଲଗାଯିବା ସହ ସଙ୍କେତିକ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ରେଳ ବିଭାଗ । ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ପୂର୍ବତଟ ରେଳପଥ ଆରମ୍ଭ କରିବ କବଚ ସ୍ଥାପନ କାର୍ଯ୍ୟ ।
ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ପୂର୍ବତଟ ରେଳପଥରେ ଲାଗିବ କବଚ:
ପୂର୍ବତଟ ରେଳପଥ ଓଡିଶାର ରାଣୀତାଲ (ଭଦ୍ରକ) ଏବଂ ଆନ୍ଧ୍ରପ୍ରଦେଶର ଦୁଭାଡା (ବିଶାଖାପାଟନମ୍) ମଧ୍ୟରେ ୫୯୫ କିଲୋମିଟରର ଦୂରତା ବିଶିଷ୍ଟ ରେଳ ମାର୍ଗରେ ଉନ୍ନତ କବଚ ପ୍ରଣାଳୀ ସ୍ଥାପନ ପାଇଁ ଯୋଜନା କରାଯାଇଛି । ଏହାଏକ ପ୍ରମୁଖ ସୁରକ୍ଷା ଉନ୍ନତି ପ୍ରକଳ୍ପ ଆରମ୍ଭ କରିଛି । ଯାହା ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅଟେ । ଏଥିପାଇଁ ସର୍ଭେ, ଡିଜାଇନ୍, ଯୋଗାଣ, ସ୍ଥାପନ, ପରୀକ୍ଷଣ ଏବଂ କବଚ ଉପକରଣର କାର୍ଯ୍ୟକ୍ଷମ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଆନୁମାନିକ ମୂଲ୍ୟ ୨୮୦ କୋଟି ସହିତ ଏହି କବଚ କାର୍ଯ୍ୟ ପାଇଁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି ।
ବ୍ୟସ୍ତବହୁଳ ତଥା ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ସୁରକ୍ଷା ବୃଦ୍ଧି କରାଇବା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । ଏହା ଦ୍ୱାରା ଟ୍ରେନ୍ ଧକ୍କା ଏଡାଇବା ପ୍ରଣାଳୀ ବା କବଚ ପ୍ରଣାଳୀ ସ୍ଥାପନ ଏକ ପ୍ରମୁଖ ପ୍ରାଥମିକତା ଦିଆଯାଉଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅବଶିଷ୍ଟ ରେଳ ସେକ୍ସନ ଗୁଡିକରେ କବଚ ସଂସ୍ଥାପନ ପାଇଁ ଏକ ବିସ୍ତୃତ ଆକଳନ ଚାଲିଛି । ନିରାପତ୍ତାକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥ ମଧ୍ୟ ମାନବ ତ୍ରୁଟିକୁ କମ୍ କରିବା ପାଇଁ ଆଧୁନିକ ସିଗନାଲ୍ ଏବଂ ଇଣ୍ଟରଲକ୍ ସିଷ୍ଟମ୍ ଉପରେ ଧ୍ୟାନ ଦେଉଛି ।
କବଚ କ'ଣ ?
କବଚ,ଏକ ସ୍ୱଦେଶୀ ବିକଶିତ ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍ (ଏଟିପି) ସିଷ୍ଟମ । ଯାହା ଟ୍ରେନ୍ ଧକ୍କା ଏଡ଼ାଇବା ଏବଂ ବର୍ଦ୍ଧିତ ପରିଚାଳନାଗତ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ଥରେ କାର୍ଯ୍ୟକ୍ଷମ ହୋଇଗଲେ ସ୍ୱୟଂଚାଳିତ ବ୍ରେକିଂ, ସ୍ପିଡ୍ ରେଗୁଲେସନ୍ ପ୍ରଦାନ କରିବ ଏବଂ ମାନବ ତ୍ରୁଟିରୁ ରକ୍ଷା ପାଇବାରେ ସାହାଯ୍ୟ କରିବ । ବିଶେଷ କରି ଜରୁରୀକାଳୀନ ପରିସ୍ଥିତିରେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରଣାଳୀ ପାଇଁ ପୃଥକ ଟାୱାର ସହିତ ଟ୍ରାକ୍, ଲେଭଲ୍ କ୍ରସିଂ (LC) ଗେଟ୍ସ ଏବଂ ନିର୍ଦ୍ଧାରିତ ରେଳ ସେକ୍ସନ ସହିତ ଷ୍ଟେସନରେ ଯନ୍ତ୍ରପାତି ସ୍ଥାପନ କରାଯିବ । ଭିତ୍ତିଭୂମି କାର୍ଯ୍ୟଗୁଡିକ ସମାପ୍ତ ହେବା ପରେ, କବଚ ଉପକରଣ ଗୁଡ଼ିକ ଏହି ବ୍ୟସ୍ତବହୁଳ କରିଡରରେ ଚାଲୁଥିବା ଟ୍ରେନ ଗୁଡିକରେ ଲଗାଯିବ ସହିତ ଟ୍ରେନ୍, ଷ୍ଟେସନ୍ ଏବଂ କଣ୍ଟ୍ରୋଲ୍ ସେଣ୍ଟର୍ ମଧ୍ୟରେ ପ୍ରକୃତ ସମୟର ଯୋଗାଯୋଗ ନିଶ୍ଚିତ କରିବ । ଯାହାଦ୍ୱାରା ଦୁର୍ଘଟଣାର ଆଶଙ୍କା କମ୍ ହେବ । ଏହି ପଦକ୍ଷେପ ଭାରତୀୟ ରେଳବାଇର ଭିତ୍ତିଭୂମି ଆଧୁନିକୀକରଣ, ଯାତ୍ରୀଙ୍କ ସୁରକ୍ଷା ଏବଂ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପ୍ରତିବଦ୍ଧତା ସହିତ ଅନୁରୂପ ଅଟେ ।
ସାଙ୍କେତିକ ପ୍ରଣାଳୀ ଏବଂ କବଚ୍ ବିକାଶର ଇତିହାସ:
- ଫେବୃଆରୀ ୨୦୧୨ ମସିହାରେ କାକୋଡକର କମିଟି ସୁପାରିଶ: ଡିଜିଟାଲ ରେଡିଓ ଆଧାରିତ ସିଗନାଲିଂ ଏବଂ ସୁରକ୍ଷା ବ୍ୟବସ୍ଥା, ETCS L-2 ସହିତ ସମାନ ଏବଂ ସମଗ୍ର ଭାରତୀୟ ରେଳବାଇରେ ନିୟୋଜିତ ।
- TCAS ବର୍ତ୍ତମାନ 'କବଚ୍' ଏକ ସ୍ୱଦେଶୀ, ମଲ୍ଟି ବିକ୍ରେତା, ପାରସ୍ପରିକ କାର୍ଯ୍ୟକ୍ଷମ, ବିଫଳ ନିରାପତ୍ତା ବ୍ୟବସ୍ଥା ଭାବରେ ଆଧାର କରି କରାଯାଇଥିଲା ।
- ୨୦୧୪-୧୫: ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ୨୫୦ କିଲୋମିଟର ପାଇଲଟ୍ ପ୍ରୋଜେକ୍ଟ ଭାବରେ ସ୍ଥାପନ ।
- ୨୦୧୫-୧୬ : ଯାତ୍ରୀବାହୀ ଟ୍ରେନରେ ପ୍ରଥମ କ୍ଷେତ୍ର ପରୀକ୍ଷା ।
- ୨୦୧୭-୧୮ : କବଚ୍ ନିର୍ଦ୍ଦିଷ୍ଟକରଣ ସଂସ୍କରଣ ୩.୨ ଚୂଡାନ୍ତ ।
- ୨୦୧୮-୧୯ : ISAର SIL-4 ପ୍ରମାଣପତ୍ର ଉପରେ ଆଧାର କରି RDSO ଦ୍ୱାରା ତିନି ବିକ୍ରେତା ଅନୁମୋଦିତ ।
- ଜୁଲାଇ ୨୦୨୦; 'କବଚ୍' ଏକ ଜାତୀୟ ଏଟିପି ସିଷ୍ଟମ୍ ଭାବରେ ଘୋଷିତ ।
- ମାର୍ଚ୍ଚ ୨୦୨୨ ସୁଦ୍ଧା : କବଚ୍ ୧୨୦୦ ରୁଟ କିଲୋମିଟରରେ ଏକ ବିସ୍ତୃତ ବିଭାଗ ଭାବରେ ସଂସ୍ଥାପିତ ହେଲା ।
- ମାର୍ଚ୍ଚ ୨୦୨୨: ବିଭିନ୍ନ ସ୍ଥାନରେ ବ୍ୟବହାର ମାମଲା ଏବଂ ବିଭିନ୍ନ ଷ୍ଟେକହୋଲ୍ଡରଙ୍କ ମତାମତ ଉପରେ ଆଧାର କରି କବଚ୍ ନିର୍ଦ୍ଦିଷ୍ଟକରଣ ସଂସ୍କରଣ ୪.୦ର ବିକାଶ ପାଇଁ ନିଆଯାଇଛି ।
- ୧୬ ଜୁଲାଇ ୨୦୨୪: କବଚ୍ ସଂସ୍କରଣ ୪.୦ ନିର୍ଦ୍ଦିଷ୍ଟକରଣ RDSO ଦ୍ୱାରା ଅନୁମୋଦିତ ।
- ୧୦ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ସ୍ୱଦେଶୀ କବଚ୍ ପ୍ରଣାଳୀ ବିକଶିତ ହୋଇଛି ।
- ସେପ୍ଟେମ୍ବର ୨୦୨୪ : କୋଟା ଏବଂ ସୱାଇ ମାଧୋପୁର ମଧ୍ୟରେ ୧୦୮ କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ କବଚ୍ ୪.୦ ସ୍ଥାପିତ ଏବଂ କାର୍ଯ୍ୟକ୍ଷମ ହେଲା ।
- ଅହମ୍ମଦାବାଦ -ବରୋଦା ମଧ୍ୟରେ ୮୪ କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗରେ ପରୀକ୍ଷା ଆରମ୍ଭ ହେଲା ।
ଏହା ମଧ୍ୟ ପଢ଼ନ୍ତୁ...ପୂର୍ବତଟ ରେଳପଥରେ କେବେ କାର୍ଯ୍ୟକାରୀ ହେବ ‘କବଚ’, ଦୁର୍ଘଟଣାରେ ଲାଗିବ ବ୍ରେକ୍ ଏହା ମଧ୍ୟ ପଢ଼ନ୍ତୁ...ଶତ୍ରୁପକ୍ଷକୁ ଦିଆଯିବ କଡ଼ା ଜବାବ, ଆରମ୍ଭ ହେଲା ସମରାଭ୍ୟାସ 'ସାଗର କବଚ' - sagar kavach |
କାର୍ଯ୍ୟ ପାଇଁ ଆମନ୍ତ୍ରିତ ବିଡ୍:
ଦିଲ୍ଲୀ-ଚେନ୍ନାଇ ଏବଂ ମୁମ୍ବାଇ- ଚେନ୍ନାଇ ରେଳ ମାର୍ଗ: ୩୩୭୫ ରୁଟ କିଲୋମିଟର ।
ସ୍ୱୟଂଚାଳିତ ବ୍ଲକ ରେଳ ସେକ୍ସନ (ABS): ୫୭୧୫ ରୁଟ କିଲୋମିଟର ।
ମୋଟ: ୯୦୯୦ ରୁଟ କିଲୋମିଟର ।
ଅନ୍ୟ ବିଭାଗ ଗୁଡିକ: ୫୬୪୫ ରୁଟ କିଲୋମିଟର ।
ଆମନ୍ତ୍ରିତ ମୋଟ ବିଡ୍: ୧୪ ହାଜର ୭୩୫ ରୁଟ କିଲୋମିଟର ।
ବିଡ୍ ଖୋଲା ହେଲା: ୧୧୦୫ ରୁଟ କିଲୋମିଟର ।
ଅବଶିଷ୍ଟ ବିଡ୍ ଖୋଲିବ ନଭେମ୍ବର ୨୪ ତାରିଖରେ ।
ଇଟିଭି ଭାରତ, ଭୁବନେଶ୍ବର