ନୟାଗଡ: ଲୋକକଳା ଲୋକବାଦ୍ୟ ଭରା ରାଜ୍ୟ ଆମ ଓଡିଶା । ପାଲା, ଦଶାକାଠିଆ, ଦଣ୍ଡରେ ଗୁଞ୍ଜରିତ ହୋଇଉଠେ ପୁରପଲ୍ଲୀ । ଲୋକକଳାରେ ଲୋକଙ୍କୁ ହଜାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ଭଳିକି ଭଳି ବାଦ୍ୟ । ସେହିପରି ଏକ ବଦ୍ୟ ହେଉଛି ଠକରା ବାଦ୍ୟ । ପୂର୍ବରୁ ଯାହାକୁ ପୌରାଣିକ ନାଟକ ପରିବେଷଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିଲା । ହେଲେ ଧୀରେ ଧୀରେ ଆଧୁନିକତାର ବସବର୍ତ୍ତୀ ଏ ମଣିଷ ଏ ବାଦ୍ୟରୁ ମହତ୍ତ୍ବକୁ ଅଣଦେଖା କଲା । ଆଉ କ୍ରମଶଃ ଏହି ବାଦ୍ୟଯନ୍ତ୍ର ବିଲୁପ୍ତ ହେବାକୁ ଲାଗିଲା । ହେଲେ ଆଜିବି କିଛି କଳାପ୍ରେମୀ ଅଛନ୍ତି ଯିଏ ପୁରୁଣା ଜିନିଷକୁ ସ୍ମୃତି ହେବାରୁ ବଞ୍ଚାଇ ପାରିଛନ୍ତି । ଲୋକକଳାରେ ଗୁରୁତ୍ବ ବହନ କରୁଥିବା ଠକରା ବାଦ୍ୟକୁ ବଞ୍ଚାଇ ରଖିଛନ୍ତି ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟସ୍ତ ଗୋଡିପଲ୍ଲୀ ଗାଁର ସଂଗ୍ରାମ କେଶରୀ ସ୍ବାଇଁ l ଠକରା ବାଦ୍ୟ କଳାକୁ ଜନମାନସରେ ପ୍ରତିଫଳିତ କରିବା ପାଇଁ ଉଦ୍ୟମ କରିଛନ୍ତି ସଂଗ୍ରାମ l
ଅନନ୍ୟ ପ୍ରତିଭାର ଅଧିକାରୀ ସଂଗ୍ରାମ l ବିଲୁପ୍ତ ପ୍ରାୟ ପାରମ୍ପରିକ "ଠକରା ବାଦ୍ୟ "କଳାକୁ ବଜାଇ ପାରୁଛନ୍ତି l ସେ ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି l ଖୁବ କମ ବୟସରୁ ଏହି ପାରମ୍ପରିକ ବାଦ୍ୟଯନ୍ତ୍ରର ମହତ୍ତ୍ବ ବୁଢିଛନ୍ତି ସଂଗ୍ରାମ । ଅଜାଙ୍କ ଠାରୁ ପ୍ରେରଣା ପାଇଁ ବିଲୁପ୍ତ ହୋଇଯାଇଥିବା ଠକରା ବାଦ୍ୟକୁ ତିଆରି କରି ବଜାଉଛନ୍ତି ସଂଗ୍ରାମ l ଯାହା ତାଙ୍କୁ ଭିନ୍ନ ଏକ ପରିଚୟ ଦେଇଛି l ବିଲୁପ୍ତ ହୋଇଯାଇଥିବା ଏହି ଲୋକକଳାକୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କର ଏଭଳି ମହାନ ପ୍ରୟାସପଥରେ ସଂଗ୍ରାମ l ଏହି ବାଦ୍ୟ ଯନ୍ତ୍ରଟି 2 ଇଞ୍ଚ ମୋଟା ଓ ଏକ ଫୁଟ ଲମ୍ବର ଦୁଇଟି ଶିଶୁ କାଠ ତହିଁରେ 35ଟି ଘାଗୁଡି ଝୁମୁକା, 4 ଟି ଛନ୍ଦ କାଠି,12 ଫୁଟ ଲମ୍ବର ପ୍ଲାଷ୍ଟିକ ଡୋର, 3 ଫୁଟ ଲମ୍ବର ଶାଗୁଆନ କାଠରେ ତିଆରି ହୋଇଛି । କମ ଖର୍ଚ୍ଚରେ ଖୁବ ସୁମଧୁର ଶବ୍ଦ ବାହାରୁଛି ବାଦ୍ୟୟନ୍ତ୍ରରୁ । ଯାହା ସଭିଙ୍କୁ ବିମୋହିତ କରୁଛି । ଯେକୌଣସି ଗୀତ ହେଉନା କାହିଁକି ତାଳ ଦେଇ ଏହାକୁ ବଜାଇ ପାରୁଛନ୍ତି ସଂଗ୍ରାମ l
ପୂର୍ବ ଏହି ବାଦ୍ୟ ସାହାଯ୍ୟରେ ପାରମ୍ପରିକ ଦାସକାଠିଆ, ପାଲା,ଦଣ୍ଡ ନୃତ୍ୟ ,ରାମଲୀଳା,କୃଷ୍ଣ ଲୀଳା ଏବଂ ରାମ ନାଟକ ଭଳି ପୌରାଣିକ ନାଟକ ପରିବେଷଣ କରୁଥିଲେ l କାଳକ୍ରମେ ଏହି ବାଦ୍ୟ ଯନ୍ତ୍ର ଠକରା ଲୋପ ପାଇପାଥିଲା l ଆଉ ଏହାକୁ ଦେଖିବାକୁ ମିଳୁନାହିଁ l ଏହାକୁ ପୁଣି ଲୋକଲୋଚନକୁ ଆଣିବା ପାଇଁ ସଂଗ୍ରାମଙ୍କ ଚଳାଇଛନ୍ତି ନିରନ୍ତର ପ୍ରୟାସ l ଅଜାଙ୍କ ପ୍ରେରଣା ପାଇ ସଂଗ୍ରାମ ଏହି ବାଦ୍ୟ ଯନ୍ତ୍ରଙ୍କୁ ନିର୍ମାଣ କରିବା ସହ ଲୋକ ଲୋଚନକୁ ଆଣିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସାଙ୍ଗସାଥି, ଶିକ୍ଷକ ଓ ପରିବାର । ସଂଗ୍ରାମ ଯେ ଖାଲି ଜଣେ ବାଦ୍ୟଯନ୍ତ୍ର ବଜାଳି ତାହା ନୁହେଁ ଚିତ୍ର କରିବା ସହିତ ମେଧାବୀ ଛାତ୍ର ମଧ୍ୟ । ଏହାବାଦ ବିଭିନ୍ନ ଚେୟାର ଟେବୁଲ ଏବଂ କାନ୍ଥରେ ବାଜା ବଜା ବଜାଇବା ସହିତ ପାଟିରେ ଭଳି କି ଭଳି ସ୍ବର ବାହା କରିଥାନ୍ତି ।
ବାଦ୍ୟ କଳାଯନ୍ତ୍ର ପ୍ରତି ଖୁବ କମ ବୟସରେ ଏଭଳି ଭଲ ପାଇବା ବାସ୍ତବରେ ନିଆରା । ବୁଡି ଯାଉଥିବା ଠକରା ବାଦ୍ୟକୁ ବଞ୍ଚାଇ ପାରିଛନ୍ତି ସଂଗ୍ରାମ l ସେବେଠାରୁ ଏହି ଠକରା ବାଦ୍ୟକୁ ବଜାଇ ଚାଲିଛନ୍ତି ସେ । ଏହି ବାଦ୍ୟକୁ ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ପରିବେଷଣ ପାଇଁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି ସଂଗ୍ରାମ ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ