ନୟାଗଡ଼: ଜିଲ୍ଲାରେ ଦୀର୍ଘଦିନ ଧରି ବନ୍ଦ ପଡିଥିବା ଚିନିକଳର ସୁରକ୍ଷାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲାପାଳଙ୍କ ଅଫିସରେ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ ସାଂସଦ, ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ, ରଣପୁର ବିଧାୟକ, ନୟାଗଡ ଜିଲ୍ଲାପାଳ, ଚିନିକଳ ସୁରକ୍ଷା ମଞ୍ଚ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିବା ଜଣାପଡିଛି ।
ସୂଚନାନୁଯାୟୀ, ଦୀର୍ଘଦିନ ଧରି ବନ୍ଦ ଥିବା ହେତୁ ଏହି ଚିନିକଳର ଯନ୍ତ୍ରପାତି ସବୁ ଚୋରି ହେବାରେ ଲାଗିଛି । ତେବେ ଚିନିକଳ ଥିବା ସ୍ଥାନରେ ଆଗରୁ ବହୁ ମୂଲ୍ୟବାନ ଗଛ ଥିବାବେଳେ, ଏହାକୁ କାଟି ନିଆଯାଇଥିଲା । 2004 ମସିହାରେ ଏହାର ମାଲିକାନା ତ୍ରିଲୋକ୍ୟ ମିଶ୍ରଙ୍କ ନାମରେ ରହିଥିଲା । ସେ ଏହାକୁ ୟୁକୋ ବ୍ୟାଙ୍କରେ ବନ୍ଧା ପକାଇ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଛି । ତେବେ ଏହି ଚିନିକଳକୁ ବନ୍ଦ କରିବା ପରେ ଆଖୁ ଚାଷୀ ଓ ଶ୍ରମିକ ମାନଙ୍କର କୋଟି କୋଟି ଟଙ୍କା ବାକି ରହିଛି ।
ଏହି ସମସ୍ତ ଘଟଣାକୁ ଅନୁଧ୍ୟାନ କରି ଜିଲ୍ଲାପାଳ ପୋମା ଟୁଡୁ ନିଜେ ଚିନିକଳ ବୁଲି ଆସିବା ସହ, ଏହାର ସୁରକ୍ଷା ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି । ଏହାସହ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ବୈଠକରେ କହିଛନ୍ତି । ହାଇକୋର୍ଟରେ ଏହି ମାମଲା ଛନ୍ଦି ହୋଇପଡିଥିବାବେଳେ, ନିଜେ ପୁରୀ ସାଂସଦ ଏହାର ତର୍ଜମା କରିବେ ବୋଲି କହିଛନ୍ତି । ଓଡିଶା ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳିଛି ।
ତୁରନ୍ତ ଚିନିକଳ ଖୋଲା ଗଲେ ନୟାଗଡ଼ ଲୋକଙ୍କର ବୃହତ୍ତର ସ୍ବାର୍ଥ ପୂରଣ ହେବ ବୋଲି ଚିନିକଳ ସୁରକ୍ଷାମଞ୍ଚ କହିଛି ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ