ନବରଙ୍ଗପୁର: ପୁଣି ଗୁଣି ଗାରେଡି ସନ୍ଦେହରେ ଗଡିଲା ମୁଣ୍ଡ । ଆଜିର ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବାବେଳେ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ସାମନାକୁ ଆସିଛି । ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗୁଜୁମାପଦର ଗାଁରେ ଘଟିଛି ଏହି ଜଘନ୍ୟ ଘଟଣା ।
ସୂଚନା ଅନୁଯାୟୀ ଗ୍ରାମର ଧାନୁ ସାନ୍ତା ଏବଂ ରାଧ ସାନ୍ତା ଦୁହେଁ ମିଶି ଗୁଣି ଗାରେଡି ସନ୍ଦେହରେ ତୁଳାବତୀ ସାନ୍ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତୁଳାବତୀ ତାଙ୍କ ପରିବାର ସହ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ତାଙ୍କୁ ଘରୁ ଡାକି ନେଇ ହଳ ଜୁଆଡି ସାହାଯ୍ୟରେ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତୁଳାବତୀଙ୍କୁ ବଞ୍ଚାଇବାକୁ ଆସି ତାଙ୍କ ବୋହୂ ଟିକମ ସାନ୍ତା ମଧ୍ୟ ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇଛନ୍ତି ।
ତେବେ ଘଟଣା ପଛର କାହାଣୀ କିଛି ଏମିତି, ତୁଳାବତୀ ସାନ୍ତାଙ୍କ ପରିବାରକୁ ଦୀର୍ଘଦିନ ଧରି ଗ୍ରାମବାସୀ ଗୁଣି ଗାରେଡି ସନ୍ଦେହରେ ନିଆଁ ପାଣିରୁ ବାସନ୍ଦ କରି ଏକ ଘରିକିଆ କରିଦେଇଥିଲେ । କିଛିଦିନ ହେବ ଧାନୁ ସାନ୍ତା ଏବଂ ରାଧ ସାନ୍ତାଙ୍କ ପରିବାର ଲୋକଙ୍କ ଦେହ ଅସୁସ୍ଥ ରହି ଆସୁଥିଲା । ଉକ୍ତ ଘଟଣାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ଏନେଇ ପରିବାର ପକ୍ଷରୁ ମୈଦଲପୁର ଥାନାରେ ଏତଲା ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ