ନବରଙ୍ଗପୁର: ସଜେଇ ହେଉଛି ନବରଙ୍ଗପୁର ସହର । ପୌରପାଳିକାରର ନିର୍ଦ୍ଦେଶ କ୍ରମେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସହରର ଚାଉଁରିଆଗୁଡା ଠାରୁ ଆରମ୍ଭ କରି ମାଝୀଗୁଡା ରାସ୍ତାର କାନ୍ଥରେ ଅଙ୍କାଯାଉଛି ବିଭିନ୍ନ ଚିତ୍ର । ସହରକୁ ସୁନ୍ଦର କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ଚିତ୍ରକର ।
ଚିତ୍ରକରମାନେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କୁଥିବା ବେଳେ ସାଧାରଣତଃ ଆଦିବାସୀଙ୍କ କଳାକୃତ୍ତି ଏବଂ ନାରୀ ନିର୍ଯାତନା ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ମ୍ୟୁନିସିପାଲିଟି ଓ ଜିଲ୍ଲା ପ୍ରଶାସନ ସହାୟତାରେ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରିବାପାଇଁ ଏପରି ଚିତ୍ର ଆଙ୍କିଛନ୍ତି ଚିତ୍ରକର।
ସାମାଜିକ ଜୀବନ ଶୈଳୀରେ ବାସ୍ତବତାକୁ ଚିତ୍ରକଳା ପ୍ରଦର୍ଶିତ ହୋଇଛି କାନ୍ଥରେ। ମହାମାରୀ କୋରୋନା ହେଉ କି ଅନ୍ଧ ବିଶ୍ୱାସ, କୁସଂସ୍କାର, ଯୌତୁକ ପ୍ରଥା ଓ ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖ ସ୍ଥାନ ପାଇଛି ଏଥିରେ। ଏସବୁ ଚିତ୍ରଗୁଡିକ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଚିତ୍ରଗୁଡିକ ନବରଙ୍ଗପୁର ସହରର ସୌନ୍ଦର୍ଯ୍ୟ ବଢାଇଛି।
ଗତ ଦୁଇ ମାସ ଧରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଆଉ କିଛି ଦିନ ପରେ ଶେଷ ହେବ । ତେବେ ସହରରେ ଅଙ୍କିତ ଚିତ୍ର ଚରିତ୍ରରେ ଅନେକଙ୍କ ଦୃଷ୍ଟି ଆକର୍ଷଣ ହେଉଛି । ସଚେତନତା ବାର୍ତ୍ତା ସହ ସହରର ସୌନ୍ଦର୍ଯ୍ୟକରଣରେ ବେଶ ଖୁସି ଏବେ ନବରଙ୍ଗପୁରବାସୀ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ