ନବରଙ୍ଗପୁର : ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପିତାରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସୂଚନା ଅନୁସାରେ, ୧୯୭୮ ମସିହାରେ ପିତାରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବାବେଳେ ୧୦୯ ଜଣ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି ।
ଏହି ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟ ବିଦ୍ୟାଳୟକୁ ପଠାଯାଉଥିବା ବେଳେ ଆଉ ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରମୋସନ ପରେ ବଦଳି କରାଯାଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀ ଉତ୍କ୍ଷିପ୍ତ ହୋଇ ବିଦ୍ୟାଳୟର ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଗ୍ରାମବାସୀଙ୍କ କହିବାନୁଯାୟୀ, ପିତାରିଗୁଡା ବିଦ୍ୟାଳୟରେ ୫୬ ଜଣ ଛାତ୍ରୀ ପାଠ ପଢୁଥିବାବେଳେ ଜଣେ ଶିକ୍ଷୟିତ୍ରୀଙ୍କର ଆବଶ୍ୟକ ରହିଛି। ଏଣୁ ହଠାତ ତରବରିଆ ଭାବେ ଶିକ୍ଷୟିତ୍ରୀ ସ୍ଵପ୍ନାଶ୍ରୀ ଜେନାଙ୍କୁ ପିତାରିଗୁଡା ବିଦ୍ୟାଳୟରୁ ମୈଦଲପୁର ନିକଟସ୍ଥ କଣ୍ଟାସାରୁକୁ ବଦଳିକୁ ବିରୋଧ କରିଛନ୍ତି। ଯଦି ଶିକ୍ଷୟିତ୍ରୀଙ୍କ ଵଦଳି ପ୍ରତ୍ୟାହାର ନକରାଯାଏ । ତାହେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେଵ ଵୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ସିଆରସିସି ଆସି ବିଦ୍ୟାଳୟରେ ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା କରୁଥିବା ସୂଚନା ମିଳିଛି।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ