ନବରଙ୍ଗପୁର: ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଗବାଗୁଡ଼ା ଗ୍ରାମରେ ଅଘଟଣ । ନଦୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ । ସତିଘାଟ ନଦୀରେ ଗାଧେଇବାକୁ ଯାଇଥିବା ସମୟରେ ବୁଡି ଯାଇଥିବା ସୂଚନା । ମୃତ ନାବାଳିକା ଦୁଇଜଣ ହେଲେ ହରପ୍ରିୟା ଗୌଡ଼ ଓ ରୁପେନ୍ଦ୍ରି ଗୌଡ଼ । ଖବରପାଇ ଝରୀଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନାଅନୁସାରେ, ଆଜି ତିନି ଭଉଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ହଟାତ୍ ଦୁଇ ଭଉଣୀ ଗଣ୍ଡ ଭିତରକୁ ପଶିଯାଇଥିଲେ । ଚେଷ୍ଟା କରିବା ପରେ ମଧ୍ୟ ବାହାରିନପାରି ବୁଡି ଯାଇଥିଲେ । ଏହା ଦେଖି ସାନଭଉଣୀ ଦୌଡି ଆସି ଗାଁ ଲୋକଙ୍କୁ ଖବର ଦେଇଥିଲା । କିନ୍ତୁ ଦୁଃଖର ବିଷୟ ଗ୍ରାମବାସୀ ପହଞ୍ଚିବା ବେଳେ ଦୁଇ ଭଉଣୀଙ୍କ ମୃ୍ତ୍ୟୁ ହୋଇଯାଇଥିଲା । ଗ୍ରାମବାସୀ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଝରୀଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁଇ ଭଉଣୀଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ଏହା ମଧ୍ୟ ପଢନ୍ତୁ: ତୁଟୁନି ବହୁଚର୍ଚ୍ଚିତ ସାରଥୀ ବାବାଙ୍କ ମୋହ, ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ
ଚଚା ପଞ୍ଚାୟତର ଗୋବାଗୁଡା ଗ୍ରାମ ଦୁଇଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ପ୍ରାୟ ୩ ଶହ ପରିବାର ଏଠାରେ ବସବାସ କରନ୍ତି । କିନ୍ତୁ ନିତ୍ୟ ବ୍ୟବହାର ସକାଶେ ଜଳ ଉତ୍ସ ନଥିବା ଯୋଗୁଁ ନଦୀ ଉପରେ ଲୋକେ ନିର୍ଭର କରିଥାନ୍ତି । ତେଣୁ ଆଜି ଅକାଳରେ ଦୁଇଟି ଜୀହନ ଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବ୍ଲକ ଅଧକ୍ଷ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣେଇବା ସହ ସରକାରଙ୍କ ତରଫରୁ ଯାହା ସାହାଯ୍ୟ ରହିଛି ତାହା ଯୋଗେଇ ଦିଆଯିବ ବୋଲି କହିଛନ୍ତି ଦୁର୍ଗା ମାଝୀ l
ଇଟିଭି ଭାରତ, ନବରଙ୍ଗପୁର