ନବରଙ୍ଗପୁର: ସୁନା ଶଙ୍ଖ କହି ଠକୁଥିବାବେଳେ ପୋଲିସ ହାତରେ ଧରାପଡ଼ିଲେ ଅଭିଯୁକ୍ତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ତାଲାପଦରଠାରେ ଦିନକୁ ଦିନ ଠକଙ୍କ ରାଜୁତି ବଢ଼ିବାରେ ଲାଗିଛି । କେତେବେଳେ ସୁନା ଶଙ୍ଖ ତ କେତେବେଳେ ସୁନା ଇଟା ଓ ପଇସାକୁ ନେଇ ବାରମ୍ବାର ଲୋକଙ୍କୁ ଠକି ଚାଲିଛନ୍ତି ।
ସୂଚନା ମୁତାବକ ତାଳପଦର ଗ୍ରାମର କିଛି ଦୁର୍ବୃତ୍ତ ପୁରୀ ଜିଲ୍ଲାର ବରକୁଡି ଗ୍ରାମର ପ୍ରତାପ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଜାଲରେ ଫସେଇ ଥିଲେ । ଏହି ବ୍ୟକ୍ତିଙ୍କୁ ଫେବୃଆରୀ 9 ତାରିଖରେ ସୁନାଶଙ୍ଖ ଅଛି କହି ଡାକିଥିଲେ ଓ ସେ ମଧ୍ୟ ଉମରକୋଟ ଆସି ଶଙ୍ଖକୁ ଦେଖି ଟଙ୍କା ଆଣିବି କହି ଫେରି ଯାଇଥିଲେ । କିଛି ଦିନ ପରେ ଅର୍ଥାତ ଫେବୃଆରୀ 25 ତାରିଖରେ ଟଙ୍କା ଧରି ପ୍ରତାପ ଆସିବା ପରେ ସୁନା ଶଙ୍ଖ ଦେଖିଥିଲେ । କିନ୍ତୁ ମନରେ ସୁନା ଶଙ୍ଖଟି ନକଲି ବୋଲି ସନ୍ଦେହ ହେବାରୁ ସେ ଟଙ୍କା ନଦେଇ ଫେରି ଯିବାକୁ ବାହାରିଥିଲେ । ଏହା ଦେଖି ଦୃବୁର୍ତ୍ତମାନେ ତାଙ୍କୁ ମାଡ ମାରି ଜୋର ଜବରଦସ୍ତି ଟଙ୍କା ଛଡାଇ ରଖିଥିଲେ ।
ଘଟଣା ଘଟିବାର ୪୬ ଦିନ ପରେ ପ୍ରତାପ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଆଧାରରେ ପୋଲିସ ତାଲାପଦରରେ ପହଞ୍ଚି ଏହି ମାମଲାରେ ସଂପୃକ୍ତ ୩ ଜଣ ସୁରେନ୍ଦ୍ର ହରିଜନ, ସନପତି ହରିଜନ, ରାମ ଚନ୍ଦ୍ର ହରିଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ସେମାନଙ୍କ ଠାରୁ ନଗଦ ୪୦୦୦୦ ଟଙ୍କା ଜବତ କରିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ