ନବରଙ୍ଗପୁର: ଭାଲୁ ଭୟରେ ଗ୍ରାମବାସୀ । ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବୈରାଗୀଗୁଡା ଗ୍ରାମରେ ଏକ ମକାବାଡ ନିକଟରେ ଥିବା ଗାତ ଭିତରେ 2 ଛୁଆ ଭାଲୁ ସହ ମାଁ ଭାଲୁ ରହିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି ।
ସୂଚନାଅନୁସାରେ,ପ୍ରତିଦିନ ମାଆ ଭାଲୁ ସନ୍ଧ୍ୟା ଓ ସକାଳ ସମୟରେ ବୈରାଗୀଗୁଡା ଗ୍ରାମ ନିକଟ ଦେଇ ଯିବା ଆସିବା କରୁଥିବାର ଲୋକେ ଦେଖିବାକୁ ପାଇଥିଲେ । ଗାଁରୁ ତିନିଶହ ମିଟର ଦୂର ଏକ ମକା କିଆରିରେ ଲୋକ କାମ କରୁଥିବା ବେଳେ ନିକଟସ୍ଥ ଗାତ ମଧ୍ୟରୁ ଛୁଆ ଭାଲୁଙ୍କ କାନ୍ଦୁଥିବା ସ୍ବର ଶୁଣିବାକୁ ପାଇଥିଲେ । ଏହା ପରେ ସେମାନେ ସେହି ଗାତ ପାଖକୁ ଯାଇଥିଲେ । ସେଠାରେ ଏକ ମାଆ ଭାଲୁ ଛୁଆ ଜନ୍ମ କରିଥିବା ଜାଣିବାକୁ ପାଇଥିଲେ । ଏହା ପରେ ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଏ ନେଇ ଡିଏଫଓଙ୍କ ସହ ଯୋଗାଯୋଗ କରିବାରୁ ଛୁଆ ଭାଲୁ ସହ ମାଆ ଭାଲୁ ଥିବାରୁ ସେମାନଙ୍କୁ ସ୍ତାନାନ୍ତରଣ କରିବା ସମ୍ଭବ ହୋଇନାହିଁ ବୋଲି କହିଛନ୍ତି । ତେଣୁ ଲୋକମାନଙ୍କ ସୁରକ୍ଷା ପାଇଁ ସେଠାକାର ସ୍ଥିତି ଅନୁଧ୍ୟାନ କରି ବନବିଭାଗ ପକ୍ଷରୁ ଏକ ଦଳ ମୁତୟନ କରାଯାଇଛି । ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳ ଜଙ୍ଗଲ ପରିପୂର୍ଣ ହୋଇଥିବାରୁ ଭାଲୁ ପ୍ରାୟ ପ୍ରତିଦିନ ଗ୍ରାମ ମଧ୍ୟକୁ ପଶୁଥିବାରୁ ଏଥିପ୍ରତି ବନବିଭାଗ ସଜାଗ ରହିଛି । ତେବେ ତୁରନ୍ତ ଭାଲୁକୁ ଉଦ୍ଧାର କରି ଜଙ୍ଗଲକୁ ଛାଡିବାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ