ନବରଙ୍ଗପୁର: 74ବର୍ଷରେ ପାଦ ଦେଇଛି ସ୍ବାଧୀନ ଭାରତ । ଏହି ଅବସରରେ ମନେ ପଡନ୍ତି ଅନେକ ସ୍ବାଧୀନତା ସଂଗ୍ରାମୀ । ଶୁଣିବାକୁ ମିଳେ ସେମାନଙ୍କ ଗାରିମାର ଗାଥା । ମାଟି ମାଁ କୁ ବିଦେଶୀ କବଳରୁ ସ୍ୱାଧୀନ କରିବା ପାଇଁ ହୋଇଥିବା ସଂଗ୍ରାମରେ ଓଡିଶାର ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ପାପଡା ହାଣ୍ଡିର ଅବଦାନ ଅନେକ ରହିଛି । ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଏପରି ଏକ ସ୍ଥାନ ଯାହାକି ଭାରତୀୟ ଇତିହାସରେ ସ୍ୱାଧୀନତା ପାଇଁ ହୋଇଥିବା ରକ୍ତାକ୍ତ ଗୁଳିକାଣ୍ଡର ଏକ ଦାଗକୁ ବହନ କରିଥାଏ।
ଅଗଷ୍ଟ 24, 1942 ରେ ସ୍ୱାଧୀନ ପାଇଁ ବ୍ରିଟିଶ ବିରୋଧରେ ଏଠାରେ ସ୍ୱର ଉତ୍ତୋଳନ ହୁଏ ଏବଂ ପୋଲିସ ଗୁଳି ଚଳାଇବା ବେଳେ 19 ଜଣ ଶହୀଦ ହୋଇଥିବା ବେଳେ 300 ଜଣ ଆହତ ହୋଇଥିଲେ। ହେଲେ ସମୟ ସହିତ ସଭିଏଁ ଭୁଲି ଗଲେଣି ଏଇମାଟିର ସନ୍ତାନଙ୍କ ବଳିଦାନ,ହଁ କେବଳ ଏହି ଅଭିଭାଷଣରେ ହିଁ ସୀମିତ ଆମ ସ୍ବାଧୀନତା ସଂଗ୍ରାମୀଙ୍କ ସଂଗ୍ରାମ। ଯିଏ ନିଜ ଲାଲ ରକ୍ତର ବଳିଦାନ ଦେଇ ଆମକୁ ସ୍ବାଧୀନତାର ସ୍ବାଦ ଚଖାଇଲେ । ଆଜି ତାଙ୍କରି ପରିବାର ଜୀବନ ଜୀଇଁବାକୁ ସଂଘର୍ଷ କରୁଛନ୍ତି । ପେଟ ପୋଷିବାକୁ କରୁଛନ୍ତି ସଂଗ୍ରାମ । ମୁଲ ଲାଗିଲେ ଦାନ ମୁଠାଏ ମିଳୁଛି । 1942 ମସିହା ଅଗଷ୍ଟ 24 ପାପଡାହାଣ୍ଡି ଗୁଳିକାଣ୍ଡରେ ଶହୀଦ ହୋଇଥିବା ରତନ ରାନ୍ଧାରୀ ଓ ବୁଦୁ ଅମନାତ୍ୟ ଦାୟଦଙ୍କ ଜୀବନ ଏବେ ଦୁର୍ଦ୍ଦିନରେ ।
ତୁରଞ୍ଜି ଗାଁର ପଦଲାମ ରନ୍ଧାରୀ। ଶହୀଦ ରତନ ରନ୍ଧାରୀଙ୍କ ନାତି । ଭଲ ଘର ଖଣ୍ଡେ ନାହିଁ କି ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନାହିଁ। ପର ଘରେ ମୂଲ ଲାଗିଲେ ପେଟ ଚାଲେ। ନିଜର ବୋଲି କିଛି ସମ୍ପତ୍ତି ନଥିବାବେଳେ, ବିପିଏଲ କି ଏପିଏଲ ମଧ୍ୟ ସେମାନଙ୍କର ନାହିଁ । ସେପଟେ କିନ୍ତୁ ସ୍ବାଧୀନତା ସଂଗ୍ରାମରେ ଜେଜେଙ୍କ ବଳିଦାନ ପାଇଁ ଗର୍ବ କରୁଛି ମାଟି । ସେହିପରି ଶହୀଦ ବୁଦୁ ଅମନାତ୍ୟଙ୍କ ନାତି ଗୁରୁ ଅମନାତ୍ୟଙ୍କ ମଧ୍ୟ ସେହି ସମାନ ଅବସ୍ଥା ।
ସେପଟେ, ଅଗଷ୍ଟ 24 ତାରିଖ ଆସିଲେ ଖଣ୍ଡେ ଉତ୍ତରୀୟ ଓ ଫୁଲ ଧରାଇ ନିଜ ଦାୟିତ୍ବ ତୁଲାଇ ଦିଅନ୍ତି ସରକାରୀ ଅଧିକାରୀ । ତେବେ ଯେଉଁ ସଂଗ୍ରାମୀମାନେ ଭାରତକୁ ସ୍ବାଧୀନ କରିଥିଲେ ସେମାନେ କଣ ଏଭଳି ସ୍ବପ୍ନ ଦେଖିଥିଲେ । ଶହୀଦ ଦାୟଦଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ନିୟମ ରହିଛି । ହେଲେ ଏଠାରେ ଆଜି ଏମାନେ ଅଲୋଡା ।
ଦାରିଦ୍ର୍ୟ ଓ ପ୍ରଶାସନିକ ଅବ୍ୟବସ୍ଥାରେ କିପରି ପେଶୀ ହୋଇ ଯାଉଛନ୍ତି ପଦଲାମ ଓ ଗୁରୁ ଭଳି ସଂଗ୍ରାମୀଙ୍କ ଦାୟଦମାନେ। ଏସବୁକୁ ଦେଖିଲେ ସ୍ବାଧୀନତା ସଂଗ୍ରାମୀ ଦାୟଦଙ୍କ ପାଇଁ ଆଉ ଏକ ସଂଗ୍ରାମର ଆବଶ୍ୟକ ରହିଛି ବୋଲି ମନେ ହୁଏ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ