ନବରଙ୍ଗପୁର: କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମାଝୀଧନୁଆ ପଞ୍ଚାୟତ ଆଉଁଳି ଗ୍ରାମର ଜଣେ ଶ୍ରମିକ ଛତିଶଗଡ଼ ରାଜ୍ୟର ଏକ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶ୍ରମିକଙ୍କ ନାଁ ସହଦେଵ ମୁରିଆ ଓ ତାଙ୍କ ବୟସ 20 ବର୍ଷ ହେବ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାଇ ଆଉଁଳି ଗ୍ରାମର ପଦମ ମୁରିଆଙ୍କ ପୁଅ ସହଦେଵ ଛତିଶଗଡ଼ ରାଜ୍ୟ ନଲପାଅଣ୍ଡ ଥାନା ଅଞ୍ଚଳର ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଉକ୍ତ ଟ୍ରାକ୍ଟରରେ ଇଟା ବୋଝେଇ ହୋଇ ଯିବା ସମୟରେ କୁସୁମୀ ଗ୍ରାମ ନିକଟରେ ଭାରସ୍ୟମ ହରାଇ ଓଲଟି ପଡିଯିବାରୁ ସହଦେଵ ମୁରିଆ ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଛତିଶଗଡ଼ ନଲପାଅଣ୍ଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶ୍ରମିକଙ୍କ ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟିଥିବା ଟ୍ରାକ୍ଟରକୁ ଘଟଣାସ୍ଥଳରୁ ଜବତ କରି ଛତିଶଗଡ଼ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ