ନବରଙ୍ଗପୁର: ନିଆରା ବିଦାୟକାଳୀନ ଶୋଭାଯାତ୍ରା । ବାଜାବଜାଇ ଲୁହ ଭିଜା ଆଖିରେ ଶିକ୍ଷକଙ୍କୁ ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲାର ସଦର ବ୍ଳକ ଅନ୍ତର୍ଗତ ତାରାଗାଁରୁ ଆସିଛି ଏଭଳି ନିଆରା ଦୃଶ୍ୟ ।
ସୂଚନା ମୁତାବକ, ତାରାଗାଁ ସ୍ଥିତ ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଥିଲେ ସେକ୍ ହିଫଜୁର୍ ରେହେମାନ୍ । ସେ ଗତ ଜୁଲାଇ ମାସ ୩୧ ତାରିଖରେ ସରକାରୀ ଭାବରେ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ତାରାଗାଁ ଗ୍ରାମବାସୀଙ୍କ ତରଫରୁ ଶିକ୍ଷକ ସେକ୍ ହିଫଜୁରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବା ପାଇଁ ଏକ ସମ୍ୱର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ପ୍ରଥମେ ଶିକ୍ଷକ ସେକ୍ ହିଫଜୁର୍ ରେହେମାନ୍ଙ୍କୁ ଗ୍ରାମବାସୀଙ୍କ ତରଫରୁ ବାଜା ବାଜଣା ସହିତ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରଯାଇଥିଲା । ଗ୍ରାମ ପରିକ୍ରମା ସମୟରେ ଗ୍ରାମର ବୃଦ୍ଧ ମହିଳାମାନେ ଶିକ୍ଷକଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଦେଇ ଆଶୀର୍ବାଦ ଦେଇଥିଲେ ।
ସେହିପରି ଗ୍ରାମର ପୂର୍ବତନ ଛାତ୍ରଛାତ୍ରୀମାନେ ମଧ୍ୟ ପୁଷ୍ପମାଲ୍ୟ ଦେଇ ପ୍ରିୟର ଶିକ୍ଷକଙ୍କ ପାଦ ଛୁଇଁ ଆଶୀର୍ବାଦ କାମନା କରୁଥିଲେ । ଏହି ସଭାଯାତ୍ରା ସମୟରେ ସ୍ଥାନୀୟ ମହିଳାମାନେ ମଧ୍ୟ ଆଖିର ଲୁହକୁ ରୋକି ପାରିନଥିଲେ । ତେବେ ଗ୍ରାମବାସୀ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଏହି ସଭାରେ ଜନାବ ନଜିବୁଲ୍ଲା ଖାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ପ୍ରଦୀପ କୁମାର ନନ୍ଦ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକଙ୍କ କର୍ମଠ, ସରଳ, ମାର୍ଗଦର୍ଶକ, ଛାତ୍ରବତ୍ସଳ ଓ ପରୋପକାରୀ ଗୁଣର ପ୍ରଶଂସା କରିଥିଲେ ।
ଅବସର ଗ୍ରହଣ କରିଥିବା ଶିକ୍ଷକ ହିଫଜୁର୍ ରେହେମାନ୍ ଗତ ୧୯୮୬ ମସିହାରୁ ଦୀର୍ଘ ୩୭ ବର୍ଷ ଧରି ଏଠାରେ ଶୃଙ୍ଖଳିତ ଭାବେ ଶିକ୍ଷକତା କରି ବେଶ ପ୍ରଶଂସାର ପ୍ରିୟପାତ୍ର ହୋଇପାରିଛନ୍ତି । ନିଜ ଶିକ୍ଷକତା ସମୟ ମଧ୍ୟରେ ସେ ବହୁ ପୋଲିସ ଅଫିସର, ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ଓ ପ୍ରଶାସନିକ ଅଧିକାରୀ ସୃଷ୍ଟି କରିଛନ୍ତି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାକୁ ଶିକ୍ଷାବିତ ଅନାମୁ ସେଠିଆ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଅବସରପ୍ରାପ୍ତ ଶିକ୍ଷକଙ୍କ ତ୍ୟାଗପୂତ ଜୀବନୀ ଓ ଛାତ୍ର ବତ୍ସଳ ଗୁଣର ସ୍ମୃତିଚାରଣ କରିଥିଲେ ।
ଇଟିଭି ଭାରତ, ନବରଙ୍ଗପୁର