ନବରଙ୍ଗପୁର: ନବରଙ୍ଗପୁର ସଦର ବ୍ଲକର ସିନ୍ଧି ଗାଁରେ ନିକଟରେ ଉଦଯାପିତ ହୋଇଛି ପାରମ୍ପରିକ ବାଲିଯାତ୍ରା । ବାଲିଯାତ୍ରା ଏକ କୃଷିଭିତ୍ତିକ ପର୍ବ । ଏହା ଏକ ଜନଜାତିଙ୍କ କୃଷି ଦେବତା ଭୀମା ଓ ତାଙ୍କ ସ୍ତ୍ରୀ କନ୍ଦନୀଙ୍କ ବିବାହ ଉତ୍ସବ ସହ ଦେବାଦେବୀଙ୍କ ଲୀଳାଖେଳ, ବାଲିରେ ପ୍ରତୀକାତ୍ମକ କୃଷି କର୍ମର ପର୍ବ । ମାସେ ଧରି ସ୍ବତନ୍ତ୍ର ପୂଜା ଅନୁଷ୍ଠାନ ପରେ ବାଲିଯାତ୍ରା ଉଦଯାପିତ ହୁଏ ।
ତେବେ ଏହି ଉଦଯାପନୀ ଦିନ ଗ୍ରାମର ସମସ୍ତ ଚାଷୀ ବା ରୟତମାନେ ନଅ ଦିନ ପୂର୍ବରୁ ବାଲି ଚାଙ୍ଗୁଡିରେ ବୁଣା ଯାଇଥିବା ଚାରାକୁ ବୋହିଥାନ୍ତି । ସମସ୍ତେ ଚାଙ୍ଗୁଡି ବୋହି ବାଲି ପଡିଆକୁ ନେବା ବେଳେ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଦୀର୍ଘ 3 ମାସ ଧରି ବାଲିଯାତ୍ରାର ପୂଜା କର୍ମ କର୍ମାଣିରେ ଭାଗ ନେଇଥିବା ଗୁରୁମାଇ, ପୂଜାରୀ ପୂଜାରିଣୀ, ଶିରା, ମାଝି, କିଶୋର, କିଶୋରୀ ସମସ୍ତେ ଦେବୀ ଦେବତାଙ୍କ ଲୀଳା ଖେଳକୁ ପ୍ରଦର୍ଶନ କରିଥାନ୍ତି । ବାଲି ଯାତ୍ରାରେ ସେମାନଙ୍କ ଦଳଗତ ଅଂଶ ଗ୍ରହଣ ସମସ୍ତଙ୍କୁ ବିମୋହିତ କରେ । ତେବେ ଗ୍ରାମଦେବତୀଙ୍କ ପ୍ରତୀକାତ୍ମକ ଲାଠି କୁର୍ଚି ସହ ଜନପଟୁଆର ବାଲି ଚାଙ୍ଗୁଡି ଧରି ବାହାରି ବାଲି ପଡିଆରେ ପହଞ୍ଚିଥାନ୍ତି । ତା ପରଦିନ କୃଷି ଦେବତା ଭୀମା ଓ ଭୀମାଣୀଙ୍କ ପୁରାତନ କାଠ ମୂର୍ତ୍ତିକୁ ଭସେଇ ଦିଆଯାଇ ମହୁଲ କାଠର ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରାଯାଏ । ସେଠାରେ ସଂପୂର୍ଣ୍ଣ ଆଦିବାସୀ ରୀତିନୀତି ଓ ପରମ୍ପରାରେ ଭୀମା ଓ ଭୀମଣିଙ୍କ ବିବାହ ହୁଏ । ଏହା ସହ ଦେବକାର୍ଯ୍ୟରେ ଥିବା ପୂଜାରି ଓ ପୂଜାରିଣୀଙ୍କ ମଧ୍ୟ ପ୍ରତୀକାତ୍ମକ ବାହାଘର କରାଯାଇଥାଏ ।
ବିବାହ ପରେ ସ୍ବତନ୍ତ୍ର ପୂଜାପାଠ ପରେ କିଛି ଗୁପ୍ତ ପୂଜା କରାଯାଇଥାଏ । ସେହିପରି ମୁଖ୍ୟ ପୂଜାରିଣୀ ଗୁରୁମାଇ ତିନି ମାସ ଧରି ଦେବଦେବୀଙ୍କ ବନ୍ଦନା ଗାନ କରିଥାଏ । ଏହା ବାଲିଯାତ୍ରାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ । ବାଲିଯାତ୍ରା ପାଇଁ ଗାଁରେ ଦୋକାନ ବଜାର ଓ ମେଳା ବସିଥବା ବେଳେ ଗାଁର ଆଖପାଖ ଅଞ୍ଚଳର ଜନସମାଗମ ହୁଏ । ଘରେ ଘରେ କୁଣିଆ ମଇତ୍ର ଆସିଥିବା ବେଳେ ବାଲିଫୁଲ ବା ସଂଗୀତ ବସାଯାଏ । ଗ୍ରାମର ସର୍ବାଙ୍ଗୀନ ଉନ୍ନତି ସହ କୃଷି କ୍ଷେତ୍ର ଉତ୍କର୍ଷ ସାଧନ ପାଇଁ ବାଲିଯାତ୍ରାର ସମସ୍ତ ପରମ୍ପରା ଓ ରୀତିନୀତି ଉଦ୍ଦିଷ୍ଟ । ଜନଜାତିଙ୍କ ଗୋଷ୍ଠୀ ଜୀବନର ସହଭାଗିତା ଏକ ଅନନ୍ୟ ଉଦାହରଣ ହେଉଛି ବାଲିଯାତ୍ରା ।
ଇଟିଭି ଭାରତ, ନବରଙ୍ଗପୁର