ନବରଙ୍ଗପୁର: ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏପରିକି ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଦୁଇ କିମିର ବ୍ୟବଧାନରେ ଥିବା ଗାଁ ଗୁଡ଼ିକରେ ସ୍କୁଲ ଖୋଲିବାର ଯୋଜନା ହୋଇଥିଲା କିନ୍ତୁ ଯେଉଁ ଗ୍ରାମରେ ଅଭିଭାବକ ସଚେତନ ଓ ଛାତ୍ର ଛାତ୍ରୀ ମାନେ ପାଠ ପଡ଼ିବା ପାଇଁ ଇଚ୍ଛୁକ ସେହିପରି ଗ୍ରାମରେ ଆଜି ପଯ୍ୟନ୍ତ ବିଦ୍ୟାଳୟଟିଏ ଖୋଲାଯାଇପାରୁନାହିଁ । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ନବରଙ୍ଗପୁରର ନକ୍ସାପଦର ଗ୍ରାମବାସୀ ପିଲାମାନଙ୍କ ଭବିଷ୍ୟତ ନେଇ ଏକ ଅସ୍ଥାୟୀ ସ୍କୁଲ ଗୃହ ନିର୍ମାଣ କରି ଛୋଟ ଛୋଟ ପିଲା ମାନଙ୍କୁ ଶିକ୍ଷାଦେଇ ଏବେ ଚର୍ଚ୍ଚାରେ ଅଛନ୍ତି ଗ୍ରାମବାସୀ ।
ନକ୍ସାପଦର ଗାଁ ସ୍ଥାପନକୁ ପ୍ରାୟ ଚାଳିଶି ବର୍ଷ ପୁରିଲାଣି । ହେଲେ ପ୍ରଶାସନ ତରଫରୁ ଗାଁରେ ବିଦ୍ୟାଳୟଟିଏ ହୋଇପାରିନାହିଁ । ଯାହାଫଳରେ ଅନ୍ୟ ବିଦ୍ୟାଳୟକୁ ଯିବା ପାଇଁ ହେଲେ ପାଞ୍ଚ କିଲୋମିଟର ଦୂର ଯିବାକୁ ପଡ଼ିଥାଏ । ଅନ୍ୟପଟେ ଚଟୁପକାନ ବିଦ୍ୟାଳୟ ଯିବାକୁ ମଧ୍ୟ ସେଇ ପାଞ୍ଚ କିଲୋମିଟର ପଡେ ଏବଂ ଖରାପ ରାସ୍ତା ସହ ଜଙ୍ଗଲ ହୋଇ ଯିବାକୁ ପଡ଼ିଥାଏ ଯାହା ଫଳରେ ପିଲାମାନେ ଅନେକ ଅସୁବିଧା ଭୋଗିଥାନ୍ତି । ତେବେ ପ୍ରଶାସନ ଆଗରେ ବିଦ୍ୟାଳୟ ନିମନ୍ତେ ଗୁହାରି କରିକରି କୌଣସି ସୁଫଳ ମିଳିପାରି ନାହିଁ । ତେଣୁ ଗ୍ରାମର ଚାଳିଶ ରୁ ପଚାଶ ଜଣ ପିଲା ପାଠପଢି ପାରୁନଥିଲେ ।
ଗ୍ରାମରେ ଏକ ବୈଠକ ଦ୍ବାରା ଅଭିଭାବକ ମାନେ ଚାନ୍ଦା ଆଦାୟ କରି ଏକ ଅସ୍ଥାୟୀ ବିଦ୍ୟାଳୟ ଗୃହ ସ୍ଥାପନ କରି ଗ୍ରାମର ଦୁଇ ଶିକ୍ଷିତ ଯୁବକଙ୍କୁ ଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ମାସିକ ପନ୍ଦର ସହ ଟଙ୍କା ଲେଖାଏଁ ଦରମା ପ୍ରଦାନ କରି ପିଲାମାନଙ୍କୁ ପାଠ ପଢାଇବା ବ୍ୟବସ୍ଥା କରିଛନ୍ତି ଗ୍ରାମବାସୀ ।
ଏନେଇ ଝରିଗାଁ ବିଇଓଙ୍କ ସହ ଯୋଗାଯୋଗ କରିବାରୁ ନକ୍ସାପଦର ଗାଁରେ ଖୁବଶୀଘ୍ର ସ୍କୁଲ ଖୋଲିବ ବୋଲି କହିଛନ୍ତି । ସେପଟେ ଗାଁରେ ଯେପର୍ଯ୍ୟନ୍ତ ବିଦ୍ୟାଳୟ ସ୍ଥାପନ ହୋଇନାହିଁ ସେପର୍ଯ୍ୟନ୍ତ ଗ୍ରାମବାସୀ ଏହି ବିଦ୍ୟାଳୟକୁ ଚାଲୁ ରଖିବେ ବୋଲି କହିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ