ନବରଙ୍ଗପୁର: ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ଅଙ୍ଗିନଦି ନିକଟରେ ଏକ ଅଜଣା ଟ୍ରକ୍ ଧକ୍କାରେ ଜଣେ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଯୁବକ ଜଣକ ପାପଡାହାଣ୍ଡି ବ୍ଲକ ପାତ୍ରି ଗ୍ରାମର ଟଙ୍କଧର ଗୌଡ (୨୦) ବୋଲି ଜଣାପଡିଛି । ଏନେଇ ମୃତ ଟଙ୍କଧରର ବାପା ପୂର୍ଣ୍ଣ ଗୌଡ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁଯାୟୀ ପାତ୍ରି ଗ୍ରାମର ଟଙ୍କଧର ଗୌଡ (୨୦) ଓ ତା ସାଥୀ ବୈଦ୍ୟନାଥ ମାଝି ଏକ ବାଇକ୍ ଯୋଗେ କୌଣସି କାର୍ଯ୍ୟରେ ଡାବୁଗାଁ ଆସିଥିଲେ । କାର୍ଯ୍ୟ ସାରି ଦୁହେଁ ଡାବୁଗାଁରୁ ପାତ୍ରି ଅଭିମୁଖେ ବାହାରିଥିଲେ । ତେବେ ଡାବୁଗାଁ ମାନିଗାଁ ମଧ୍ୟରେ ଥିବା ଅଙ୍ଗିନଦି ନିକଟରେ ଉଭୟେ ପରିସ୍ରା ବସିବା ପାଇଁ ବାଇକରୁ ଓହ୍ଲାଇଥିଲେ । ଏହି ସମୟରେ ଦ୍ରୁତଗତିରେ ଏକ ଅଜଣା ଟ୍ରକ ଆସି ଟଙ୍କଧର ଗୌଡ ଉପରେ ଗାଡି ଚଡାଇ ଦେଇଥିଲା । ଏବଂ ନିମିଷକ ମଧ୍ୟରେ ଟ୍ରକଟି ମାନିଗାଁ ଦିଗକୁ ଚାଲି ଯାଇଥିଲା ।
ସାଥିରେ ଥିବା ଟଙ୍କଧରର ସାଥୀ ବୈଦ୍ୟନାଥ ମାଝି କୌଣସି ବିଷୟ ଜାଣିବା ପୂର୍ବରୁ ଟଙ୍କଧରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ମୃତ ଟଙ୍କଧର ଗୌଡର ବାପା ପୂର୍ଣ୍ଣ ଗୌଡ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ ମୃତଦେହ ଜବତ କରିଥିଲା । ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ଗୁରୁବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ଘଟଣାର ତଦନ୍ତ ପୋଲିସ ଏସଆଇ ପବିତ୍ର ମୋହନ ଖୋରା କରୁଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ