ନବରଙ୍ଗପୁର: ବୁଧବାର ନବରଙ୍ଗପୁର ସ୍ଥିତ ମିଶନଶକ୍ତି ସମ୍ମିଳନୀ କକ୍ଷରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁରଠାରୁ ଜୟପୁର ରେଳ ପ୍ରକଳ୍ପ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ସମେତ କୋରାପୁଟ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଜଗଦଳପୁର ଶାଖା ରେଳବାଇ ବିଭାଗର ଡେପୁଟି ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଏମ.ଭି.ସତ୍ୟ ନାରାୟଣ ଯୋଗ ଦେଇ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବିଷୟରେ ଆଲୋଚନା କରିଥିଲେ ।
ନବରଙ୍ଗପୁରର 2 ଟି ଗ୍ରାମର ଜମି ଓ କୋରାପୁଟ ଜିଲ୍ଲାର 22ଟି ଗ୍ରାମର ଜମିକୁ ସରକାର ଜମି ଅଧିଗ୍ରହଣ କରିବାର ନିଷ୍ପତ୍ତି ନେଇଥିବା ସମୀକ୍ଷା ବୈଠକ ଆଲୋଚନା ହୋଇଥିଲା l ପ୍ରତିବର୍ଷ ଭଳି ଚଳିତବର୍ଷ ବଜେଟରେ ଏହି ପ୍ରକଳ୍ପ ପାଇଁ ଟଙ୍କା ଆସିଥିବାବେଳେ ଏହା ଯେପରି ଫେରିଯିବନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ସାଂସଦ କହିଥିଲେ ।
ଏହି ସମୀକ୍ଷା ବୈଠକରେ କ୍ଷୁଦ୍ର ଜଳସେଚନ ଓ ବନ ବିଭାଗର ଅଧିକାରୀ ସମନ୍ବୟ ରକ୍ଷା କରି ପ୍ରାଥମିକ ସ୍ଥରରେ ଗ୍ରାମସଭା ଅନୁଷ୍ଠିତ କରି ଜମି ଚିହ୍ନଟ କରାଯାଇ ଜମି ହରାଇଥିବା ହିତାଧିକାରୀଙ୍କୁ କ୍ଷତିପୂରଣ କରାଯିବା ସଙ୍ଗେସଙ୍ଗେ ସେମାନଙ୍କୁ ଆପତ୍ତି ଅଭିଯୋଗ ପ୍ରତି ଧ୍ୟାନ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି l
ଏହା ବ୍ୟତୀତ ରେଳ ପ୍ରକଳ୍ପ ସର୍ଭେ ଓ ଜମି ଅଧିଗ୍ରହଣ କରିବାର ସମସ୍ତ ଦାୟିତ୍ବ ସହ ବ୍ଲୁପ୍ରିଣ୍ଟ କରିବାର ଦାୟିତ୍ବ ନବକୃଷ୍ଣ ଚୌଧରୀ ଅନୁଷ୍ଠାନକୁ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି l
ଏହି ପ୍ରକଳ୍ପକୁ ଦୁଇ ଜିଲ୍ଲାବାସୀ ଚାହିଁ ବସିଥିବାରୁ ଯଥାଶୀଘ୍ର କାମ ଆରମ୍ଭ କରିବାକୁ ଚେଷ୍ଟା କରାଯିବା ନେଇ ଏହି ବୌଠକରେ ନିଷ୍ପତି ନିଆଯାଇଥିଲା ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ