ନବରଙ୍ଗପୁର: ସ୍ନେହ, ପ୍ରେମ ଓ ମମତା ଦେଇ ଗୋଟେ ହିଂସ୍ର ବା ବିଷାକ୍ତ ଜନ୍ତୁକୁ ବି ନିଜର ବଶରେ କରିହେବ । ଆଉ ସେ ତ ଗୋଟେ କୋମଳ ପକ୍ଷୀ ଥିଲା । ଆଉ ପୁଣି ଗୃହପାଳିତ ପକ୍ଷୀ ମାନଙ୍କ ଭିତରୁ ଗୋଟିଏ । କେମିତି ବା ସେ ସ୍ନେହରେ ବାନ୍ଧି ହୋଇନଥାନ୍ତା । ଆମେ କହୁଛୁ ନବରଙ୍ଗପୁରର ଉମରକୋଟ ଗୁଲିପାଟଣା ସାହିର ଲୋଚନ ସ୍ବାଇଁଙ୍କ ପାଳିତ ଶୁଆ କଥା । ଦୀର୍ଘ 30 ବର୍ଷରୁ ଉର୍ଦ୍ଧ୍ବ ହେବ ସେ ଏକ ଶୁଆ ଆଣି ଘରେ ପାଳିଥିଲେ । ଆଉ ତାର ନାଁ ଦେଇଥିଲେ ରିପୁ । ପ୍ରତ୍ୟେକ ଦିନ ରିପୁର ଡାକ ଶୁଣୁଥିଲେ ଅବସରପ୍ରାପ୍ତ ଆର୍ମି ଅଫିସର ଲୋଚନ । ସେ ଜଣେ ପକ୍ଷୀ ପ୍ରେମୀ ହୋଇଥିବାରୁ ଏହି 30 ବର୍ଷ ଭିତରେ ଆଉ 3 ଗୋଟି ଶୁଆ ଆଣି ପାଳୁଥିଲେ ।
ସମସ୍ତେ ଶୁଆକୁ ପଞ୍ଜୁରୀରେ ରଖୁଥିବା ବେଳେ, ଲୋଚନ ସ୍ବାଇଁ କିନ୍ତୁ ଏମାନଙ୍କୁ ପୁରାପୁରୀ ସ୍ବାଧୀନତା ଦେଇ ଛାଡି ଦେଇଥିଲେ । ହେଲେ 4 ଗୋଟି ଶୁଆ କୁଆଡେ ଉଡିନଯାଇ ସେମିତି ଘର ଭିତରେ ହିଁ ବୁଲୁଥିଲେ । ଆଉ ଏବେ ରିପୁର ମୃତ୍ୟ ହେବାରୁ ପରିବାରର ସମସ୍ତେ ଭାଙ୍ଗିପଡିଛନ୍ତି । ପରିବାରର ଏକ ସଦସ୍ୟ ଭାବେ ହିନ୍ଦୁ ଧର୍ମ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ କରିଛନ୍ତି ଲୋଚନ । ତେବେ ଖାଲି ପରିବାର ଲୋକ ନୁହଁ ଲୋଚନଙ୍କ ଘରେ ଥିବା ଆଉ ତିନୋଟି ଶୁଆ ମଧ୍ୟ ଝୁରୁଥିଲେ ରିପୁକୁ । ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କୁ ମଧ୍ୟ ତାଜୁବ ଲାଗିବ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ