ନବରଙ୍ଗପୁର: ନଦୀକୁ ବାନ୍ଧି ପାରିବ, ହେଲେ କେବେ ନଦୀସ୍ରୋତକୁ ପରିବନି ବାନ୍ଧି । ସେହିପରି ଜଣେ ବ୍ୟକ୍ତିଙ୍କ ପାଦରେ, ପାରିବାରିକ ଜଞ୍ଜାଳ ବେଡି ପକାଇପାରିବ, ହେଲେ ତା'ର ଅନ୍ତର୍ନିହିତ କଳାକୁ ରୋକି ପାରିବନି । ସେଥିପାଇଁ ତ କୁହାଯାଏ, ଯଦି କଳା ଥିବ ତେବେ ଦିନେ ନା ଦିନେ ତାହା ପ୍ରସ୍ଫୁଟିତ ହେବ । କୌଣସି ବାଧା-ବିଘ୍ନ କଳାକୁ ଫୁଟି, ଚହଟିବାରେ ପାଚେରି ହୋଇପାରିବନି । ଏପରି ଉକ୍ତିକୁ ପ୍ରମାଣ କରିଛନ୍ତି ନବରଙ୍ଗପୁରର ଯୁବ ଚିତ୍ରଶିଳ୍ପୀ ସାସ୍ବତୀ ସାହୁ ।
ବାପା ଚାଲିଯିବା ପରେ ପାରିବାରିକ ଯଞ୍ଜାଳ ତା' ସାଙ୍ଗକୁ ପାଠପଢା ଏସବୁ ମଧ୍ୟରେ ରଙ୍ଗତୂଳିରେ ଆଙ୍କୁଛନ୍ତି ସ୍ବପ୍ନର କୋଣାର୍କ । କାଳିଆ ଠାକୁରକୁ ସ୍ମରଣ କରି ବିନା ପ୍ରଶିକ୍ଷଣରେ ଆଙ୍କିବା ଆରମ୍ଭ କରିଥିବା ସାସ୍ବତୀଙ୍କ ଚିତ୍ର ଏବେ ସଭିଙ୍କ ମନ ମୋହୁଛି । ତଥାପି ଅଭାବ ରହିଯାଇଛି ପ୍ରୋତ୍ସାହନର । ଏଜୁକେସନ ଅନର୍ସରେ ପୋଷ୍ଟ ଗ୍ରାଜୁଏସନ ପାସ୍ କରିଛନ୍ତି ସାସ୍ବତୀ । ଦୁଇବର୍ଷ ତଳେ ବାପା ଆରପାରିକୁ ଚାଲିଯିବା ପରେ ସାନଭଉଣୀ ଏବଂ ମାଆଙ୍କ ଦାୟିତ୍ବ ତାଙ୍କ ମୁଣ୍ଡରେ । ଏକ ଛୋଟିଆ ଦୋକାନ ମାଧ୍ୟମରେ ପରିବାରର ଗୁଜୁରାଣ ମେଣ୍ଟୁଛି।
ଏହାରି ମଧ୍ୟରେ ଯେତେବେଳେ ନିଜକୁ ଏକା ଅନୁଭବ କଲେ ସେତେବେଳେ ଜଗତର ନାଥ ଜଗନ୍ନାଥଙ୍କ ସରଣାପନ୍ନ ହୋଇ ଆରମ୍ଭ କଲେ ରଙ୍ଗତୂଳି ଧରିବା । ପ୍ରଥମେ କାଳିଆ ସଆନ୍ତର ପ୍ରତିଛବି ଅଙ୍କନରୁ ଆରମ୍ଭ ହେଲା ଯାତ୍ରା । ସବୁଠୁ ବଡ କଥା ହେଉଛି କି ବିଭିନ୍ନ ବର୍ଯ୍ୟବସ୍ତୁର ସାହାଯ୍ୟରେ ଚିତ୍ର ଆଙ୍କନ୍ତି ସାସ୍ବତୀ । ଖାଲି ବୋତଲ, ଚାବି ରିଙ୍ଗ, କୋଲ଼୍ଡ ଡ୍ରିଙ୍କସ ଠିପି, ପେପର ଇତ୍ୟାଦିକୁ ନେଇ ଓଡିଆ ପ୍ରଥା ପରମ୍ପରାର ଛବି ଆଙ୍କି ଦେଉଛନ୍ତି । ଆଉ ଏହି ଛବି ଆଙ୍କିବା ଧିରେ ଧିରେ ତାଙ୍କ ନିଶା ପାଲଟିଯାଇଛି ।
ସାସ୍ୱତୀଙ୍କ ମାମୁଁ ଜଣେ ଚିତ୍ରଶିଳ୍ପୀ ହୋଇ ଥିବାବେଳେ ତାଙ୍କ ମାଆ ମଧ୍ୟ ସମୟ ପାଇଲେ ଚିତ୍ର ଆଙ୍କନ୍ତି l ସେହି କଳାକୁ ଛୋଟ ବେଳୁ ଦେଖି ସାସ୍ୱତୀ ଏବେ ନିଜେ ଉକ୍ତ କଳାକୁ ବ୍ୟବହାର କରୁଛନ୍ତି l ଯେଉଁ କଳା କୃତିକୁ ପସନ୍ଦ କରି ସାହି ପଡିଶା ନିଜ ଘର ସାଜ ସଜା ପାଇଁ ନେଉଛନ୍ତି । ସଂସାର ଚକ୍ର ମଧ୍ୟରେ ଏହି ଚିତ୍ରକଳାକୁ ସମୟ ଦେଇ ପାରୁନଥିବା ସାସ୍ୱତୀଙ୍କ ମାଆ ଝିଅ ପାଇଁ ଦୀର୍ଘ 15 ବର୍ଷ ପରେ ପୁଣି ହାତରେ ରଙ୍ଗତୁଳି ଧରୁଛନ୍ତି ।
ତେବେ ଏନେଇ ଆମେ ଜିଲ୍ଲା ଓରମାସ ଅଧିକାରୀଙ୍କୁ ପଚାରିବାରୁ ସାସ୍ବତୀଙ୍କ ଚିତ୍ରକୁ ବଜାରୀକରଣ କରିବା ପାଇଁ ଏକ ଷ୍ଟଲର ବ୍ୟବସ୍ଥା କରିବା ସହ କଳା ଓ କଳାକାରଙ୍କୁ କିପରି ଆଗକୁ ନେଇ ପାରିବେ ତାହାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ