ନବରଙ୍ଗପୁର: ମଣ୍ଡି ଟୋକନକୁ ଆଗତୁରା କରି ଧାନ କିଣିବା ପାଇଁ ଚାଷୀଙ୍କଠାରୁ 1500 ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ନବରଙ୍ଗପୁର ଲ୍ୟାମ୍ପ ଏମ.ଡି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ନବରଙ୍ଗପୁର ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ବାନମ୍ବର ପଟ୍ଟନାୟକ ।
ସୂଚନା ଅନୁଯାୟୀ ଶୁକ୍ରବାର ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନମସିଗା ଗାଁରେ ଧାନ ମଣ୍ଡି ଚାଲିଥିଲା । ଏହି ସମୟରେ ଦିଗାଗୁଡା ଗାଁର ଚାଷୀ ମତିରାମ ଭତ୍ରାଙ୍କଠାରୁ 99.32 କ୍ବିଣ୍ଟାଲ ଧାନ କିଣିବା ପାଇଁ 1500 ଟଙ୍କା ଲାଞ୍ଚ ନେଇଥିଲେ ବାନମ୍ବର । ସେଠାରେ ସାଦା ପୋଷାକରେ ଲୁଚି ରହିଥିବା ନବରଙ୍ଗପୁର ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ରଙ୍ଗ ବୋଳା 1500 ଟଙ୍କା ଉଦ୍ଧାର କରିଥିଲା ।
ବର୍ତ୍ତମାନ ଅନ୍ୟ ଏକ ଟିମ ଗୁଣୁପୁରରେ ଥିବା ବାନମ୍ବର ପଟ୍ଟନାୟକଙ୍କ ଭଡା ଘରେ ଚଢାଉ ଜାରି ରଖିଥିବା ସୂଚନା ଦେଇଛନ୍ତି କୋରାପୁଟ ଭିଜିଲାସନ୍ସ ଏସପି । ତେଣେ ଗିରଫ ବାନମ୍ବରଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ନେଇ ମଧ୍ୟ ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ