ନବରଙ୍ଗପୁର: ସ୍ବାଧୀନତାର 75ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ହର ଘର ତିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଜିଲ୍ଲାସ୍ତରୀୟ ୭୬ତମ ସ୍ବାଧିନତା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି । ପ୍ରତ୍ୟେକ ସରକାରୀ ବେସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ଘରେ ଭାରତର ଗୌରବ ଜାତୀୟ ପତାକାକୁ ସମ୍ମାନର ସହିତ ସରକାରଙ୍କ ପ୍ରଦତ୍ତ ନିୟମ ଅନୁଯାୟୀ କିପରି ଲଗାଯାଇ ପାରିବ ସେ ନେଇ ଲକ୍ଷ୍ୟ ରହିଛି ।
ଏ ସଂପର୍କରେ ଲୋକଙ୍କୁ ଗଣମାଧ୍ୟମ ଜରିଆରେ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସଭା ଗୃହରେ ଅନୁଷ୍ଠିତ ଖବର ଦାତା ସମ୍ମିଳନୀରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ୍ ଉପସ୍ଥିତ ଥିଲେ । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ମିଶନ ଶକ୍ତି ମାଧ୍ୟମରେ ଜିଲ୍ଲା ପାଇଁ ପ୍ରାପ୍ତ ହୋଇଥିବା 90 ହଜାର ଜାତୀୟ ପତାକା ଜିଲ୍ଲା ସ୍ତରରୁ ଗ୍ରାମ ପଞ୍ଚାୟତ ସ୍ତରରେ କିଭଳି ପହଞ୍ଚି ପାରିବ ଏବଂ ଏଥିପାଇଁ ଦାୟିତ୍ୱରେ ଥିବା ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତଥା କର୍ମଚାରୀମାନଙ୍କ ଦାୟିତ୍ଵ ସଂପର୍କ ସେ ସୂଚନା ଦେଇଥିଲେ ।
ସ୍ବାଧିନତା ସଂଗ୍ରାମରେ ଓଡ଼ିଶାର ସ୍ବାଧିନତା ସଂଗ୍ରାମୀ ଙ୍କ ଅବଦାନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ପାଇଁ ନବରଙ୍ଗପୁରରେ ଆସନ୍ତା ମାସ ତିନି ଦିନ ଧରି ରଥ ପରିକ୍ରମା କରିବ । ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ସ୍ଵାଗତ କରି ଏହି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାଧିନତା ସଂଗ୍ରାମ ସମ୍ପର୍କୀୟ ଭିଡିଓ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ଜନସାଧାରଣ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।
ଇଟିଭି ଭାରତ, ନବରଙ୍ଗପୁର