ନବରଙ୍ଗପୁର: ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସଜାଡ଼ିବା ନେଇ ରାଜ୍ୟସରକାର ଉଦ୍ୟମ ଜାରି ରଖିଛନ୍ତି । ୫-ଟି ଯୋଜନାରେ ବିଦ୍ୟାଳୟ ଗୁଡିକର ରୂପାନ୍ତୀକରଣ କରାଯାଉଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବିଦ୍ୟାଳୟର ଜମିପଟ୍ଟା ନେଇ ରହିଥିବା ସମସ୍ତ ସମସ୍ୟାର ସମାଧାନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୫ଟି ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ।
ବିଭିନ୍ନ କାରଣରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଜମିପଟ୍ଟା ନାହିଁ । ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟର ଜମିପଟ୍ଟା ନେଇ ରହିଥିବା ସମସ୍ୟାର ସମାଧାନ କରି ସମସ୍ତ ବିଦ୍ୟାଳୟକୁ ଜମିପଟ୍ଟା ଦିଆଯିବ । ଏଥିପାଇଁ ସମସ୍ତ ବିଦ୍ୟାଳୟର ମାପ ନିଆଯାଉଛି । ଅନ୍ୟ ସମସ୍ତ ବିଦ୍ୟାଳୟର ଜମିପଟ୍ଟା ଚୂଡାନ୍ତ କରି ଜମିପଟ୍ଟା ହସ୍ତାନ୍ତର କରାଯିବ ବୋଲି ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର କହିଥିଲେ । ଏକ କାର୍ଯ୍ୟକ୍ରମ ମାଧ୍ୟମରେ ନବରଙ୍ଗପୁର ଆରସିଡି ନୋଡାଲ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟକୁ ଜମି ପ୍ରଦାନ କରାଯାଇଛି ।
ଏହା ସହ ଭାଟିଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜାମ୍ବଗୁଡା ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ତଣ୍ଡା ସ୍ଥିତ ମହାଭୌରାବୀ ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲାପାଳ ଜମି ପଟ୍ଟା ପ୍ରଦାନ କରିଛନ୍ତି । ଆଗକୁ ଆହୁରି ବିଭିନ୍ନ ବିଦ୍ୟାଳୟର ଜମି ସଂକ୍ରାନ୍ତୀୟ ଦସ୍ତାବିଜ ସମାଧାନ କରି ଜମିପଟ୍ଟା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଡ଼ଃ ମିଶ୍ର ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ରବିନ୍ଦ୍ର କୁମାର ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଉପସ୍ଥିତ ଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ