ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରହିଛି ଡାଏଲିସିସ କେନ୍ଦ୍ର । ହେଲେ ଏହି କେନ୍ଦ୍ର ଆରମ୍ଭ ହେବା ଦିନ ଠାରୁ ରୋଗୀଙ୍କ କାମରେ ଆସିପାରୁନାହିଁ । କାରଣ ଏଠାରେ ଡାକ୍ତରଙ୍କ ଅଭାବ ରହିଛି । କିଡନି ରୋଗୀ ଭଳି ଅନ୍ୟାନ୍ୟ ରୋଗୀ ଉପକୃତ ହେବା ଲାଗି ଏହି ଡାଏଲିସିସ କେନ୍ଦ୍ର ଆରମ୍ଭ କରାଯାଇ ଥିବାବେଳେ ଏହା ବ୍ୟବହାର ନହେବା ଦୁର୍ଭାଗ୍ୟଜନକ ଅଟେ ।
ସୂଚନାମୂତାବକ, ଡାଏଲିସିସ ପାଇଁ ଜିଲ୍ଲାର ରୋଗୀମାନେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଉପରେ ନିର୍ଭର କରୁଥିବା ଅଭିଯୋଗ ହୋଇଛି । ଏପଟେ କେନ୍ଦ୍ରରେ ନୂଆ ଉପକରଣ ଥିବାବେଳେ ଆରମ୍ଭ ହେବା ଦିନ ଠାରୁ ଏପରି ଦୟନୀୟ ଅବସ୍ଥାରେ ପଡିରହିଛି ଏହି କେନ୍ଦ୍ର । ଆବଶ୍ୟକ କର୍ମଚାରୀ ସହ 3ଟି ବେଡ଼ ପଡ଼ିଥିବା ବେଳେ ଏହା କିନ୍ତୁ କୌଣସି କାମରେ ଲାଗିପାରୁନାହିଁ । ପରିଚାଳକ ଠାରୁ ଆରମ୍ଭ କରି ଟେକ୍ନୋଲୋଜି କର୍ମଚାରୀ ସମସ୍ତେ ଅଛନ୍ତି ହେଲେ ଡାକ୍ତର ନଥିବାରୁ ଏହା କାର୍ଯ୍ୟକାରୀ ହେଉନାହିଁ । ତେବେ ଏହା ଏକ ବେସରକାରୀ ସଂସ୍ଥା ଓ ରାଜ୍ୟ ସରକାର ମଧ୍ୟରେ ଏହା ପିପିପି ମୋଡ଼ରେ ଆରମ୍ଭ ହୋଇଥିଲେହେଁ ଏହା କାମରେ ଆସୁନଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଏପଟେ କେନ୍ଦ୍ରରେ ତୁରନ୍ତ ଡାକ୍ତର ନିଯୁକ୍ତି କରି ଡାଏଲିସିସ କରାଯାଉ ବୋଲି ଦାବି କରିଛନ୍ତି ନବରଙ୍ଗପୁର ଜିଲ୍ଲାବାସୀ । ଅନ୍ୟପଟେ ଖୁବଶୀଘ୍ର ଡ଼ାକ୍ତର ନିଯୁକ୍ତି ହୋଇ ନିୟମିତ ରୋଗୀ ସେବା ପାଇପାରିବେ ବୋଲି ସୂଚନା ଦେଇଛନ୍ତି ଡାଏଲସିସ କେନ୍ଦ୍ର ପରିଚାଳକ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ