ହାଇଦ୍ରାବାଦ: ବିଶ୍ବର ସବୁଠୁ ବଡ଼ ସୁନା ଖଣି ପଡ଼ୋଶୀ ଦେଶ ଚୀନରେ ଠାବ ହୋଇଛି । ଏହାର ଦାମ 600 ବିଲିୟନ ୟୁଆନ ଅର୍ଥାତ 6,91,473 କୋଟି (ପାଖାପାଖି 7ଲକ୍ଷ କୋଟି) ଟଙ୍କା । ଚୀନର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ସୁନା ଖଣିର ସନ୍ଧାନ ମିଳିଥିବା ବେଳେ ଏଥିରେ ପ୍ରାୟ 1000 ମେଟ୍ରିକ୍ ଟନ୍ ସୁନା ପଥର ରହିଥିବା ଆକଳନ କରାଯାଉଛି । ଏହି ଅଞ୍ଚଳର ଭୂବୈଜ୍ଞାନିକଙ୍କ ସୂଚନା ଅନୁସାରେ ଏହି ବିଶାଳ ସୁନା ଭଣ୍ଡାର ପିଙ୍ଗଜିୟାଙ୍ଗ କାଉଣ୍ଟି (Pingjiang County)ଠାରେ ଅବସ୍ଥିତ ।
ମିଳିଲା 40 ଗ୍ଲୋଡେନ ଭେନ୍:-
ମାଟି ତଳେ ବିଭିନ୍ନ ଭୌଗୋଳିକ ପ୍ରକ୍ରିୟା ମାଧ୍ୟମରେ ସୁନା ଜମା ହୋଇଯାଏ । ଏହା ପ୍ରାୟତଃ ଲକ୍ଷ ଲକ୍ଷ ବର୍ଷ ଧରି ବଡ଼ ବଡ଼ ପଥର ସନ୍ଧିରେ ସୁନାର ତରଳ ପଦାର୍ଥ ଜମି ରହିଥାଏ । ଏହାକୁ ଗୋଲ୍ଡ ଭେନ୍ ବା ସୁନା ଶିରା ବୋଲି କୁହାଯାଏ । ଚୀନରେ ଠାବ ହୋଇଥିବା ସୁନା ଭଣ୍ଡାରରେ ଭୂବୈଜ୍ଞାନିକମାନେ ପ୍ରାୟ 2କିମି ପର୍ଯ୍ୟନ୍ତ 40ଟି ଗୋଲ୍ଡେନ ଭେନ୍ର ଚିହ୍ନଟ କରିଛନ୍ତି । ଏଥିରେ ପ୍ରାୟ 300ମେଟ୍ରିକ ଟନ୍ ସୁନା ଗଚ୍ଛିତ ହୋଇ ରହିଛି । ପୁରା ଭଣ୍ଡାରରେ ଗଚ୍ଛିତ ହୋଇଥିବା ସୁନାର ଆକଳନ କଲେ ଏହା ପ୍ରାୟ 1000 ମେଟ୍ରିକ୍ ଟନ୍ ହେବ ।
ଏହା ବି ପଢନ୍ତୁ |
ବିଶ୍ବର ସବୁଠୁ ବିଶାଳ ସୁନା ଖଣି:-
ଚୀନ ମିଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସୁନା ଭଣ୍ଡାରରେ ଗଚ୍ଛିତ ସୁନାର ମୂଲ୍ୟ ପ୍ରାୟ 7ଲକ୍ଷ କୋଟି ଟଙ୍କା । 3D ଜିଓଲୋଜିକାଲ୍ ମଡେଲିଂ ମାଧ୍ୟମରେ ଏହି ସୁନା ଖଣିକୁ ଠାବ କରାଯାଇଛି । ଚୀନରେ ବିଶାଳ ସୁନା ଭଣ୍ଡାର ମିଳିବା ପରେ ଚୀନର ଗୋଲ୍ଡ ଇଣ୍ଡଷ୍ଟ୍ରିରେ ଏହାର ଏକ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି, ଯାହାକି ପୂର୍ବରୁ ବିଶ୍ବବ୍ୟାପୀ ସୁନା ଉତ୍ପାଦନରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଯାହାକି ବିଶ୍ବର ମୋଟ ସୁନା ଉତ୍ପାଦନରେ ଚୀନର 10ପ୍ରତିଶତ ଯୋଗଦାନ ରହିଥାଏ ।
ପୂର୍ବରୁ ଶୀର୍ଷରେ ଥିଲା ଦକ୍ଷିଣ ଆଫ୍ରିକା:-
ଏହି ସୁନା ଖଣିର ସନ୍ଧାନ ମିଳିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିଶ୍ବର ସର୍ବବୃହତ ସୁନା ଭଣ୍ଡାର ଥିବା ଦେଶ ଥିଲା । କିନ୍ତୁ ଚୀନ ଏବେ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଛି । ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା ସୁନା ଭଣ୍ଡାର 'South Deep Gold Mine'ରେ 900 ମେଟ୍ରିକ୍ ଟନ୍ ସୁନା ମିଳିଥିଲା ।