ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କନାରିଛୁଆଁ ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ଶୋଇଥିବା ବେଳେ ନାଗ ସାପ କାମୁଡ଼ାରେ ପରିବାରର ମା ଓ ଝିଅର ମୃତ୍ୟୁ ଘଟିଛି ।
ଶୁକ୍ରବାର ଭୋର ୪ଟା ସମୟରେ ଘରେ ଶୋଇଥିବା ବେଳେ ମା ବୁଦେଇ ଯାନୀଙ୍କ ଡାହାଣ ହାତକୁ ଏକ ନାଗ ସାପ ଚୋଟ ମାରିଥିଲା । ପରେ ମା ବୁଦେଇ ଭୟରେ ସାପଟିକୁ ଧରି ଛାଟି ଦେଇଥିଲେ । ସାପଟି ପାଖରେ ଶୋଇଥିବା ଝିଅ ଅସ୍ତି ଯାନୀ ଉପରେ ପଡିବା ସହ ତାର ବାମହାତକୁ ଦଶଂନ କରିଥିଲା । ସାପ କାମୁଡିବା ପରେ ଉଭୟ ମା ଓ ଝିଅ ଜୋରରେ ଚିତ୍କାର କରିବାକୁ ଲାଗିଥିଲେ ।
ପାଟି ଶୁଣି ପରିବାର ଲୋକେ ଏବଂ ଗ୍ରାମବାସୀ ଏକ ଅଟୋ ଯୋଗେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ଦୀର୍ଘ ଆଠ ଘଣ୍ଟାଧରି ଚିକିତ୍ସା ପରେ ଆଖି ବୁଜିଥିଲେ ମା ବୁଦେଇ ଓ ଝିଅ ଅସ୍ତି । ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତକଙ୍କ ଶବ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ