ନବରଙ୍ଗପୁର: ବାଇକ ଧକ୍କାରେ ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର। ଘଟଣାକୁ ନେଇ ଥାନାରେ ଏତଲା ଦିଆ ଯାଇଥିଲେ ମଧ୍ୟ ମୃତ ବ୍ୟକ୍ତି ଓ ଗୁରୁତର ମହିଳାଙ୍କ ପାଖରେ ପହଞ୍ଚି ପାରୁନି ପୋଲିସ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଟିମନପୁର ପଞ୍ଚାୟତ ବିନୟପୁର ଗ୍ରାମରେ। ମୃତକ ହେଲେ ଶ୍ୟାମଲାଲ ରାଉତ ଓ ଗୁରୁତର ମହିଳା ଜଣଙ୍କ ହେଲେ ସାମବାଇ ରାଉତ । ଏମାନେ କୁମୁଲି ପଞ୍ଚାୟତ ଜାମଦର ଗ୍ରାମର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଶ୍ୟାମଲାଲ ଏବଂ ତାଙ୍କ ସ୍ତ୍ରୀ ଦୁହେଁ ନିଜ ଝିଅ ଘରକୁ ସାଇକେଲ ଯୋଗେ ଫେରୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଏକ ବାଇକ ଆସି ଧକ୍କା ଦେଇଥିଲା । ଫଳରେ ରାସ୍ତା କଡରେ ଛିଟିକି ପଡ଼ିଥିଲେ ସ୍ବାମୀ, ସ୍ତ୍ରୀ ଏବଂ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ ଶ୍ୟାମଲାଲ। ଏପଟେ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ବାଇକ ଆରୋହୀ ।
ସ୍ଥାନୀୟ ଲୋକେ ରାଇଘର ଥାନାରେ ଏତଲା ଦେଇଥିଲେ ମଧ୍ୟ କୈଣସି ପୋଲିସ ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ପୋଲିସର ଏପରି ଅବହେଳାକୁ ଦେଖି ପୋଲିସର ପାରିବା ପଣିଆକୁ ନେଇ ଲୋକେ ନିନ୍ଦା କରିବା ସହ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ