ନବରଙ୍ଗପୁର: ତହସିଲଦାରଙ୍କ କଳା କାରନାମା । ଉମରକୋଟରେ ଜଣେ ବିଲ୍ଡରକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ସରକାରୀ ରାଜସ୍ବକୁ ଲକ୍ଷାଧିକ ଟଙ୍କାର କ୍ଷତି ପହଞ୍ଚାଇବା ସହ ନିଜେ ଲାଭବାନ ହେଲେ । ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି ୮ ଏକର ୬୨ ସେଣ୍ଟ ଚାଷ ଜମିର କିସମ ପରିବର୍ତ୍ତନ କରି ଘର ଡିହ କରିବା କ୍ଷେତ୍ରରେ ସେ ବ୍ୟାପକ ଅନିୟମିତତା କରିଛନ୍ତି ।
ଭୁଲ ନମ୍ବର-୧ ଉମରକୋଟ ପୌରାଞ୍ଚଳର ୧୧ ନମ୍ବର ୱାର୍ଡ ଅଂଚଳ ମଧ୍ୟରେ ଥିବା ୮ ଏକର ୬୨ ସେଣ୍ଟ ଚାଷ ଜମିକୁ ଗ୍ରାମାଞ୍ଚଳ ମଧ୍ୟରେ ଥିବା ଦର୍ଶାଇ ଏକର ପିଛା ୩୦ ହଜାର ଟଙ୍କା ହିସାବରେ ଫିଜ ଆଦାୟ କରାଯାଇଛି । ସରକାରଙ୍କ ନିୟମ ପ୍ରକାରେ ସହରାଞ୍ଚଳ ଥିବା ଚାଷ ଜମିକୁ କିସମ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ହିସାବରେ ଏକର ପିଛା ୩ ଲକ୍ଷ ଟଙ୍କା ଥିବା ବେଳେ ୩୦ ହଜାର ଟଙ୍କା ଫିଜ ନେଇ ସରକାରୀ ରାଜସ୍ବକୁ କ୍ଷତି ପହଞ୍ଚାଇଛନ୍ତି । ଭୁଲ ନମ୍ବର-୨, ୮ ଏକର ୬୨ ସେଣ୍ଟ କିସମ ପରିବର୍ତନ କରିଥିବା ସ୍ଥଳ ମଧ୍ୟରେ ୧ ଏକର ୪୨ ସେଣ୍ଟରେ ବନ୍ଧ ଓ ବନ୍ଧ ଡିହ ରହିଛି, ତହସିଲଦାର ବାବୁ ଆଖି ବୁଜି ଏହି ଅଞ୍ଚଳକୁ ମଧ୍ୟ କିସମ ପରିବର୍ତ୍ତନ କରିଦେଇଛନ୍ତି । କିନ୍ତୁ ସରକାରଙ୍କର OLR 8(A) ନିୟମ ପ୍ରକାରେ କୌଣସି ବନ୍ଧ କିମ୍ବା ଆଡ଼ି ବନ୍ଧର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ।
ଏହା ଜାଣି ମଧ୍ୟ ତହସିଲଦାର ବାବୁ କାହା ସ୍ବାର୍ଥରେ ଏତେ ବଡ ବେନିୟମ କାର୍ଯ୍ୟ କରିବାକୁ ସାହସ କଲେ । ତେବେ ଏହାକୁ ନେଇ ନବରଙ୍ଗପୁର ଜିଲ୍ଲାର ଏକ ବେସରକାରୀ ସଂଗଠନ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ତୁରନ୍ତ ଦୋଷୀ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ