ନବରଙ୍ଗପୁର: ବାସହୀନ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଛନ୍ତି ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ବାସଗୃହ ପାଇଁ ଯୋଜନା କରୁଛନ୍ତି । ଏହା ସହ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରି ଭୋଟ ହାତେଇଛନ୍ତି କିନ୍ତୁ ପ୍ରକୃତ ଲୋକଙ୍କୁ ମିଳୁନି ଏହି ଯୋଜନାର ସୁଫଳ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରୁ ।
ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରି ଗାଁର ଦିବ୍ୟାଙ୍ଗ ନୀଳକଣ୍ଠ ସାହୁ । ଜୀବନରେ ଦୁଃଖ ଛଡା କେବେ ସୁଖ ସହ ଭେଟ ହୋଇନାହଁ । ଗାଁ ଶେଷ ମୁଣ୍ଡରେ ନୀଳକଣ୍ଠଙ୍କ ଘର । ଯାହା ଦିନରେ ସୂର୍ଯ୍ୟ,ରାତିରେ ତାରା ଦିଶେ ଏଭଳି ଅବ୍ୟବସ୍ଥାରେ ରହିଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ନୀଳକଣ୍ଠଙ୍କ ଗୋଟିଏ ଗୋଡ କାମ କରୁନାହିଁ, ମୂଳରୁ ଶେଷ ପର୍ଯ୍ୟନ୍ତ ଗୋଡ ସରୁ ହୋଇରହିଛି । ଆଶା ବାଡ଼ି ଦ୍ବାରା ଚାଲିବା ସମ୍ଭବ ହୁଏ । ଦିବ୍ୟାଙ୍ଗ ହେଲେ ମଧ୍ୟ ନୀଳକଣ୍ଠ ଜଣେ ସ୍ବାଭିମାନୀ ଓ ଆତ୍ମନିର୍ଭରଶୀଳ ସ୍ଵଭାଵ । ସେ ବାଉଁଶରେ ବିଭିନ୍ନ ଜିନିଷ ତିଆରି କରି ଘରେ ରଖିଥାନ୍ତି । ଆବଶ୍ୟକ ଥିବା ଗ୍ରାହକ ଘରେ ଆସି ଜିନିଷ କିଣି ନିଅନ୍ତି । ଯାହା ଦି'ପଇସା ରୋଜଗାର ହୋଇଯାଏ ସେଥିରେ ପରିବାର ଚଳେ । କିନ୍ତୁ କୋରୋନା ମହାମାରୀ ପରେ ସବୁ ବନ୍ଦ । ଗୋଟିଏ ପୁଅ କୁଲି, ମଜୁରୀ କରି ଯାହା ପଇସା ରୋଜଗାର କରେ ଦି'ପ୍ରାଣୀ ବହୁ କଷ୍ଟରେ ପେଟକୁ ମୁଠାଏ ଯୋଗାଡ଼ କରିପାରନ୍ତି । ନୀଳକଣ୍ଠଙ୍କ ପତ୍ନୀଙ୍କର ଗତ ୩ ମାସ ତଳେ ଶାରୀରିକ ଅସୁସ୍ଥତା ହେତୁ ଦେହାନ୍ତ ହୋଇଯାଇଛି ।
ସରକାରଙ୍କ ସୁବିଧା କହିଲେ ମୁଣ୍ଡ ପିଛା ହିସାବରେ ଦୁଇ ମୁଣ୍ଡକୁ ମିଳୁଥିବା ୧୦ କିଲୋ ଚାଉଳକୁ ଛାଡିଦେଲେ କିଛିନାହିଁ । ଚାଉଳ ବି ଅଧା ପେଟରେ, ଭୋକର ଅଧା ବାଟରେ ଅଟକି ଯାଉଛି । ଘର ସହ କିଛି ସରକାରୀ ସହାୟତା ପାଇଁ ଅପେକ୍ଷା କରି କରି ଜୀବନର ଅଧା ସମୟ କାଟିସାରିଲେଣି । ତେବେ ଦେଖିବାକୁ ବାକି ରହିଲା ଦିବ୍ୟାଙ୍ଗ ନୀଳକଣ୍ଠଙ୍କ ପାଖକୁ କେବେ ସରକାରୀ ଯୋଜନା ପହଞ୍ଚିବ । ଏ ନେଇ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତତ୍ବରତା ପ୍ରକାଶ କରି ସହାୟତା ଯୋଗାଇଲେ ଦିବ୍ୟାଙ୍ଗ ନୀଳକଣ୍ଠ ଉପକୃତ ହେବ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ