ନବରଙ୍ଗପୁର: ଆସିଛନ୍ତି ମା' ବୁଢୀ ଠାକୁରାଣୀ । ମାଆଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପୁରା ପରିବେଶ । ଘର ଅଗଣାରେ ଝୋଟି ଚିତା ପକାଇ ମା'ଙ୍କ ବାଟକୁ ଚାହିଁ ରହିଥାନ୍ତି ଭକ୍ତ । ଝୁଣା, ଧୂପ ବାସ୍ନାରେ ମହକି ଉଠୁଛି ପୁରାଅଞ୍ଚଳ । ଘଣ୍ଟଘଣ୍ଟା, ଶଙ୍ଖ, ବାଦ୍ୟରେ ସହ ମାଆଙ୍କୁ ସ୍ବାଗତ କରାଯାଉଛି । ମହାଆଡ଼ମ୍ବରରେ ନବରଙ୍ଗପୁରରେ ଅନୁଷ୍ଠିତ ହୋଇଯାଇଛି ଅଧିଷ୍ଠାତ୍ରୀ ଦେବୀ ବୁଢି ଠାକୁରାଣୀଙ୍କ ନବଦିନାତ୍ମକ ଘଟଯାତ୍ରା । ପ୍ରତିବର୍ଷ ଚୈତ୍ର ମାସର ପ୍ରଥମ ସୋମବାରରୁ ମା' ବୁଢୀଠାକୁରାଣୀଙ୍କ ଯାତ୍ରା ହୋଇଥାଏ । ବୁଢୀ ଠାକୁରାଣୀ ଠାକୁରାଣୀଙ୍କ ଘଟଯାତ୍ରା ସହ ଯୋଡି ରହିଛି ଅନେକ ପରମ୍ପରା ଅନେକ କିମ୍ବଦନ୍ତୀ । ଆଦିବାସୀ ରୀତିନୀତି ଓ ପରମ୍ପରା ଅନୁସାରେ ମା' କେଉଁ ଅନାଦି କାଳରୁ ଏଠାରେ ପୂଜା ପାଇ ଆସୁଛନ୍ତି । ଚଳିତ ବର୍ଷ ମା'ଙ୍କ ଘଟ ଯାତ୍ରା ପାଇଁ ପୁରା ସହର ଉତ୍ସବମୁଖର ହୋଇଉଠିଛି ।
ପରମ୍ପରା ଅନୁସାରେ, ମେଲଣ ଯାତ୍ରାରେ ମା' ବୁଢ଼ୀ ଠାକୁରାଣୀ, ମା' ଭଣ୍ଡାର ଘରଣୀ, ମାଉଲି ମା' ଓ କନକ ଦୁର୍ଗାଙ୍କ ଚାରୋଟି ଘଟ ସହ ଚାରୋଟି ମା'ଙ୍କ ଆଜ୍ଞାମାଳକୁ ପୂର୍ଜାର୍ଚ୍ଚନା କରାଯାଇଥାଏ । ମୁଖ୍ୟତଃ ଗୋଟିଏ ଛତର, ଦୁଇ ଗୋଟି ଧ୍ବଜା, ମା'ଙ୍କ ମାର୍ଗକୁ ପବିତ୍ର କରି ନେବା ପାଇଁ ଗୋଟିଏ ହଳଦୀ ପେଡି ଓ ଛଡା ଫୁଲ ରଖିବା ପାଇଁ ଏକ ଟୋକେଇକୁ ପୂଜାରେ ସାମିଲ କରିବାର ବିଧି ରହିଛି । ଆଦିବାସୀ ମହିଳାମାନଙ୍କ ଦ୍ୱାରା ମାଟିରେ ତିଆରି ଘଟକୁ ସିନ୍ଦୁର, ହଳଦୀ, ଚନ୍ଦନ, ଶାଢ଼ୀ ଚୁଡ଼ି ଦ୍ୱାରା ମା'ଙ୍କ ବିଗ୍ରହ ରୂପ ଦିଆଯାଏ । ଏହାପରେ ଭଣ୍ଡାର ଘରଣୀଙ୍କ ପୀଠର ମୁଖ୍ୟ ପୂଜକଙ୍କ ଦ୍ୱାରା ଘଟ ଗୁଡିକର ପ୍ରାଣ ପ୍ରତିଷ୍ଠା ପରେ ସମସ୍ତ ଘଟ ଏକ ପଟୁଆରରେ ଗ୍ରାମଦେବୀ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରକୁ ଯାଇଥାନ୍ତି ।
ସେଠାରେ ପୂଜାର୍ଚ୍ଚନା ପରେ ରାଜା ରାଜୁଡା ଅମଳର ପରମ୍ପରା ଅନୁଯାୟୀ ରାଜ ପରିବାରର ସଦସ୍ୟ ପ୍ରଥମେ ମା'ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପରେ ବୁଢୀ ଠାକୁରାଣୀ ବାହାରନ୍ତି ସହର ପରିକ୍ରମାରେ । ପ୍ରତ୍ୟେକ ଦିନ କିଛିକିଛି ଅଞ୍ଚଳକୁ ଯାଇ ପ୍ରତି ଘରେ ପୂଜା ପାଇଥାନ୍ତି । ପ୍ରଥମ ଦିନରେ ମାଆ ହଳଦୀ ମୁହଁ ହୋଇ ସହର ପରିକ୍ରମାରେ ବାହାରିଥିବା ବେଳେ ଦ୍ବିତୀୟ ଦିନ ରକ୍ତ ମୁଖା ହୋଇ ସହରର ଗଳିକନ୍ଦି ପରିକ୍ରମା କରିଛନ୍ତି ।
ମା'ଙ୍କ ଆଗମନକୁ ନେଇ ପ୍ରତ୍ୟେକ ଘର ଅଗଣାକୁ ଗୋବରରେ ପୋଛା ଯାଇ ସୁନ୍ଦର ଝୋଟି ଚିତା ଦିଆଯାଇଛି । ମୁଆଁ, ନଡ଼ିଆ, କଦଳୀ, ଧୂପ ଦୀପ ସଜାଡି ମା'ଙ୍କ ଆସିବା ବାଟକୁ ଚାହିଁ ରହିଥାନ୍ତି ଭକ୍ତ । ଝୁଣା ଧୂପ ବାସ୍ନାରେ ମହକି ଉଠେ ସାରା ଅଞ୍ଚଳ । ଘଣ୍ଟ, ବାଦ୍ୟ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠେ ସାହିରୁ ସହର । ଏନେଇ ଭକ୍ତ କହିଛନ୍ତି, "କୋରୋନା କଟକଣା ଯୋଗୁଁ ଗତ ତିନିବର୍ଷ ଧରି ମା' ସହର ପରିକ୍ରମାରେ ବାହାରିନଥିଲେ । ଚଳିତ ଥର ବିନା କଟକଣାରେ ବହୁ ଆଡମ୍ବର ସହକାରେ ମା' ସହର ପରିକ୍ରମାରେ ବାହାରି ଘରକୁ ଘର ଯାଇ ପୂଜା ପାଉଛନ୍ତି । ବୁଢୀ ଠାକୁରାଣୀଙ୍କୁ ନିକଟରୁ ଦର୍ଶନ କରିବା ସହ ଆଶିଷ ଲାଭ କରୁଛୁ ।"
ଇଟିଭି ଭାରତ, ନବରଙ୍ଗପୁର