ନବରଙ୍ଗପୁର: ଋଣ ଓ ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିନେଲା ଦୁର୍ବୃତ୍ତ । ନବରଙ୍ଗପୁର ଆଦିବାସୀ ଯୁବକ ଯୁବତୀଙ୍କ ସହ ଅନେକ ମହିଳାଙ୍କୁ ଋଣ ଓ ଚାକିରୀ କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ । ୬ ମାସ ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ ।
ଅଭିଯୋଗ ଅନୁସାରେ ନବରଙ୍ଗପୁର ଜିଲ୍ଲା କୁସୁମୀ ଗ୍ରାମର ସୁନୀଲ ହରିଜନ ନାମକ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ତଥା କୋରାପୁଟ ଜିଲ୍ଲାର ଯୁବକ ଯୁବତୀଙ୍କୁ ବିଭିନ୍ନ ଆଦର୍ଶ ବିଦ୍ୟାଳୟ ତଥା ବିଭିନ୍ନ ସରକାରୀ ଅନୁଷ୍ଠାନରେ ଚାକିରୀ କରାଇଦେବ କହି ଟଙ୍କା ମାଗିଥିଲା । ସେହିଭଳି କିଛି ମହିଳାଙ୍କୁ ବିଭିନ୍ନ ବ୍ୟାଙ୍କରେ ସବସିଡି ଯୁକ୍ତ ଋଣ କରାଇଦେବ କହି ମଧ୍ୟ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ୧୨ ହଜାର ଟଙ୍କା ଦେଲେ ବିଭିନ୍ନ ସ୍କିମ ରେ ଦୁଇ ଲକ୍ଷ ଟଙ୍କା ଋଣ କରାଇଦେବ ଏବଂ ସେହି ଦୁଇ ଲକ୍ଷ ଟଙ୍କାରୁ କେବଳ ଏକ ଲକ୍ଷ ଟଙ୍କା ସୁଝିବାକୁ ପଡିବ ବୋଲି କହିଥିଲା ଅଭିଯୁକ୍ତ ।
ଏଥିରେ ବିଶ୍ବାସ କରି ନିରୀହ ଆଦିବାସୀମାନେ ସୁନା ଗହଣା ଓ ଗାଡି଼ ବନ୍ଧକ ରଖିବା ସହ ଧାର ଉଧାର କରି ଅଭିଯୁକ୍ତକୁ ଟଙ୍କା ଦେଇଥିଲେ । କିନ୍ତୁ ଦୀର୍ଘ ଦୁଇ ମାସ ପର୍ଯ୍ୟନ୍ତ କୌଣସି ଟଙ୍କା ନ ମିଳିବାରୁ ସୁନୀଲ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଅଭିଯୁକ୍ତର କୌଣସି ପତ୍ତା ମିଳି ନଥିଲା । ବର୍ତ୍ତମାନ ଘଟଣାକୁ ୬ ମାସରୁ ଊର୍ଦ୍ଧ୍ବ ସମୟ ବିତିଯିବା ପରେ ନବରଙ୍ଗପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ଠକାମିର ଶିକାର ହୋଇଥିବା ଯୁବକ, ଯୁବତୀ ଓ ମହିଳାମାନେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି ।
ଇଟିଭି ଭାରତ, ନବରଙ୍ଗପୁର