ନବରଙ୍ଗପୁର: ଜନ୍ମ ମାଟିରେ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ବନିତା ଦାଶଙ୍କୁ ସମ୍ବର୍ଦ୍ଧନା । ଏକ ନୂତନ ଉଲକାପିଣ୍ଡର ଆବିଷ୍କାର କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବା ପରେ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଥିଲେ ଜିଲ୍ଲାର ସୁନା ଝିଅ ବନିତା । ଗତକାଲି ଜିଲ୍ଲା ପ୍ରଶାସନ,CRPF, ଜିଲ୍ଲା ପୋଲିସ ଓ ଶିଶୁ ସୁରକ୍ଷା ବିଭାଗ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶାର ଏକମାତ୍ର ଛାତ୍ରୀ ଓ ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ନବରଙ୍ଗପୁରର ଝିଅ ବନିତା ।
ସହରର ଗାଦବାଗୁଡାରେ ବନିତାଙ୍କ ଜନ୍ମ । ମଧ୍ୟପ୍ରଦଶର ରାଜ୍ୟ ଅନୁପୁର ଜିଲ୍ଲା ଅମରକଣ୍ଟକ ସହରର ଜବାହାର ନବୋଦୟ ବିଧ୍ୟାଳୟରେ ସେ ପାଠ ପଢନ୍ତି । ଏହାପୂର୍ବରୁ ସେ ଜବାହାର ନବୋଦୟ ବିଦ୍ୟାଳୟ ମାଲକାନଗିରିରେ ଅଧ୍ୟୟନ କରୁଥିଲେ । ଉଲ୍କାପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ଭାଗ ନେଇ ଆନ୍ତର୍ଜାତିକସ୍ତରରେ ସେ ସଫଳତା ହାସଲ କରିଛନ୍ତି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବନିତାଙ୍କ ଏହି ଆବିଷ୍କାରକୁ ମହାକାଶ ସଂସ୍ଥା ନାସା ଓ ଅନ୍ତଃରାଷ୍ଟ୍ରୀୟ ଜୋର୍ତିବିଜ୍ଞାନ ପରିଷଦ ପରୀକ୍ଷା କରିବା ପରେ ଅନୁମୋଦନ କରିଥିଲେ । ସମଗ୍ର ବିଶ୍ୱରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଏହି ଅଭିଯାନରେ ଅନେକ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିବା ବେଳେ ହାୱାଇରେ ଥିବା ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ସେ ଉଲ୍କାପିଣ୍ଡ ଖୋଜି ବାହାର କରିବାରେ ସକ୍ଷମ ହୋଇପାରିଛନ୍ତି । ଏହି ଉଲ୍କାପିଣ୍ଡର ଗତିବିଧିକୁ ବିଶ୍ଳେଷଣ କରି ଆଗାମୀ ୬ବର୍ଷ ମଧ୍ୟରେ ଏହାର ଗତିପଥ ଜାଣି ହେବ ବୋଲି ଜଣାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ