ନବରଙ୍ଗପୁର: ସରିଲା ନବରଙ୍ଗପୁରର ପ୍ରସିଦ୍ଧ ମା’ ଠାକୁରାଣୀଙ୍କ ଘଟ ଯାତ୍ରା ବା କଳସ ଯାତ୍ରା । ଜ୍ୟେଷ୍ଠ ମାସରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ତିନି ଦିନ ଧରି ପାଳନ କରାଯାଏ । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି କଳସ ଯାତ୍ରା ଗତକାଲି(ଗୁରୁବାର) ଏହା ଉଦଯାପିତ ହୋଇଛି ।
ମଙ୍ଗଳବାର ଦିନ ଠାରୁ ଗ୍ରାମର ମୁଖ୍ୟ ପୂଜକ ରଘୁନାଥ ପୂଜାରୀଙ୍କ ଘରେ ଆଦିବାସୀ ପରମ୍ପରା ଅନୁଯାଇ ପୂଜାର୍ଚ୍ଚନା କରାଯିବା ପରେ ମା ଠାକୁରାଣୀଙ୍କ ଘଟକୁ ବା କଳସୀକୁ ଦୁଇ ମହିଳା ମୁଣ୍ଡରେ ବୋହି ପୂଜା ପାଆନ୍ତି । ଗ୍ରାମର ଗଣ୍ଡା ଘରେ ପ୍ରଥମେ ପୂଜା ପାଇ ପଖନାଗୁଡ଼ା ଗ୍ରାମ ଓ ବଦାମୁଣ୍ଡା ଗ୍ରାମର ଘର ଘର ପରିକ୍ରମା କରି ପୂଜା ପାଇଲା ପରେ ତାରାଗାଁ ଫେରି ଆସନ୍ତି ମାଁ ଠାକୁରାଣୀଙ୍କ ଘଟ । ଏହି ଘଟ ଯାତ୍ରା ପାଇଁ ତାରାଗାଁ ତିନି ଦିନ ଧରି ଉତ୍ସବ ମୁଖର ହୋଇଥାଏ ।
ଗ୍ରାମବାସୀ ମଧ୍ୟ ଘର ଅଗଣାରେ ମା’ଙ୍କ ଘଟକୁ ସ୍ୱାଗତ କରିବା ପାଇଁ ମହିଳା ମାନେ ଘର ଅଗଣାରେ ରଙ୍ଗ ମାଟି ଲିପିବା ସହିତ ରଙ୍ଗବେରଙ୍ଗର ଝୋଟି ଆଙ୍କିଥାନ୍ତି ଏବଂ ଘର ଅଗଣାରେ ହିଁ ମା’ଙ୍କୁ ଧୂପ, ଦ୍ୱୀପ, ହଳଦୀ, ସିନ୍ଦୁର, ଫୁଲ, ଫଳ, ନଡ଼ିଆ ଓ ପଣାପାଣି ଭୋଗ ଲାଗି କରିବା ସହିତ କୁକୁଡ଼ା, ହଂସ, ମେଣ୍ଡା, ଛେଳି ଆଦି ବଳି ଦେଇଥାନ୍ତି । ଗାଁରେ ଘଟ ପରିକ୍ରମା ସରିବା ପରେ ପାରମ୍ପାରିକ ବାଦ୍ୟର ତାଳେ ତାଳେ ବିଭିନ୍ନ ଦେବାଦେବୀଙ୍କ ପ୍ରତୀକ ଲାଠି, କୃଚି, ମୁନ୍ଦୁରା ଆଦିକୁ ଗ୍ରାମରୁ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମର ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରାଯିବା ପରେ ଯାତ୍ରା ସମ୍ପନ୍ନ ହୋଇଥିଲା ।
ରାଜାରାଜୁଡା ଅମଳରୁ ଗ୍ରାମରେ ଏହି କଳସୀ ବା ଘଟ ଯାତ୍ରା ପାଳିତ ହୋଇଆସୁଛି । ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସରେ ଏହି ଘଟ ଯାତ୍ରା ପାଳିତ ହେଉଥିବା ବେଳେ ମା’ ଠାକୁରାଣୀଙ୍କ ଅପାର କୃପାରୁ ଗ୍ରାମରେ ସୁଖ ଓ ଶାନ୍ତି ରହୁଥିବା ବିଶ୍ୱାସ ରହିଛି । ତେବେ ଚଳିତ ବର୍ଷ ମାଙ୍କ ଯାତ୍ରା ଦେଖିବା ପାଇଁ ବହୁତ ଲୋକଙ୍କ ଜନ ସମାଗମ ହୋଇଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ